ସାଇକେଲରେ ଫେରୁଥିଲେ ୨୬ ପ୍ରବାସୀ: ତାମିଲନାଡ଼ୁରୁ ଆସୁଥିଲେ, ଆନ୍ଧ୍ରରେ ଅଟକାଇ ଦେଲେ

ଘରେ ଗର୍ଭବତୀ ପତ୍ନୀ, ଆନ୍ଧ୍ରରେ ସ୍ବାମୀ ଫସିଛନ୍ତି, ୨୩ ଦିନ ହେଲା ଅଟକି ରହିଛନ୍ତି, ହସ୍ତକ୍ଷେପ ପାଇଁ ନିବେଦନ
ଭୁବନେଶ୍ବର: ଘର ମୁହାଁ ହୋଇଛନ୍ତି ୨୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ। ତାମିଲନାଡ଼ୁରୁ ଏହି ଶ୍ରମିକ ମାନେ ସାଇକେଲରେ ଓଡ଼ିଶା ଆସୁଥିଲେ। ବାଟରେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ସେମାନଙ୍କୁ ଅଟକାଇ ଦେଇଛି। ପତ୍ନୀ ଗର୍ଭବତୀ ଅଛନ୍ତି‌ ବୋଲି ଭିଡିଓ କଲ୍‌ର ପ୍ରମାଣ ଦେଇ ଛାଡ଼ି ଦେବାକୁ ତହସିଲଦାରଙ୍କ ନିକଟରେ ଜଣେ କାକୁତିମିନତି ହେଲେ। କିନ୍ତୁ କିଛି ବି ଲାଭ ହେଲା ନାହିଁ। ତହସିଲଦାର କହିଲେ, ତୁମକୁ ଓଡ଼ିଶା ସରକାର ଫେରିବାକୁ ମନା କରିଛନ୍ତି। ଫଳରେ ଘରେ ଗର୍ଭବତୀ ପତ୍ନୀ ଥିଲେ ମଧ୍ୟ ଏ ଅବେଳାରେ ତାଙ୍କ ପାଖେ ଛିଡ଼ା ହୋଇ ନ ପାରି ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦୁଝରର ବାସିନ୍ଦା ମହେନ୍ଦ୍ର କୁମାର ମିଶ୍ର। ଆନ୍ଧ୍ରପ୍ରଦେଶରେ ୨୩ ଦିନ ହେଲା ଫସି ରହିଥିବା ମହେନ୍ଦ୍ର ନିଜର ଏହି ଦୁଃଖ ବଖାଣିବା ସହ ତୁରନ୍ତ ମୁକ୍ତି ପାଇଁ ନିବେଦନ କରିଛନ୍ତି।

ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିବା ମହେନ୍ଦ୍ରଙ୍କ ସମେତ ପ୍ରାୟ ୨୬ ଜଣ ସାଇକେଲ୍‌ ଧରି ତାମିଲନାଡ଼ୁରୁ ଓଡ଼ିଶା ଅଭିମୁଖେ ଏପ୍ରିଲ୍‌ ୧୬ରୁ ବାହାରିଥିଲେ। ଏପ୍ରିଲ୍‌ ୧୮ ବେଳକୁ ସେମାନେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାରେ ପହଞ୍ଚି ଯାଇଥିଲେ। କିନ୍ତୁ ପୁଲିସ ତାଙ୍କୁ ସେଠାରେ ଅଟକାଇ ଦେଇଥିଲା। ପାଣି ଓ ଖାଦ୍ୟ ଦିଆଯିବ କହି ସ୍ଥାନୀୟ ଥାନାକୁ ନିଆଗଲା। ସେଠାରେ ତାଙ୍କର କରୋନା ଟେଷ୍ଟ ପରେ ଛଡ଼ାଯିବ ବୋଲି କୁହାଗଲା। ଟେଷ୍ଟ କରାଯିବା ପରେ କୁହାଗଲା, ତୁମେମାନେ ୧୪ଦିନ ସଂଗରୋଧରେ ରହିବା ପରେ ଘରକୁ ଫେରି ପାରିବ। ସେମାନଙ୍କ ‌ସାଇକେଲ୍‌କୁ ଥାନାରେ ରଖି ଦିଆଗଲା। ଫଳରେ ବାଧ୍ୟ ହୋଇ ସମସ୍ତେ ୧୪ ଦିନ କବାଲି ଅଞ୍ଚଳର ଏକ ହଷ୍ଟେଲ୍‌ରେ ସଂଗରୋଧ ରହିଲେ। ସଂଗରୋଧ ଅବଧି ପରେ ସେମାନେ ନିଜ ଘରକୁ ଫେରିବା ପାଇଁ ସାଇକେଲ୍‌ ଦେବାକୁ ଦାବି କରିଥିଲେ। ମାତ୍ର ତାଙ୍କୁ କୁହାଗଲା, ଓଡ଼ିଶା ସରକାର ତୁମକୁ ନେବାକୁ ମନା କରୁଛନ୍ତି। ଇତିମଧ୍ୟରେ ୨୩ ଦିନ ବିତିଯାଇଥିଲେ ହେଁ ପ୍ରଶାସନ ଆମ କଥା ଶୁଣୁନାହିଁ ବୋଲି କହିଛନ୍ତି ଯାଜପୁରର ଅନିରୁଦ୍ଧ ବେହେରା। ସେ କହିଛନ୍ତି ଯେ ମହେନ୍ଦ୍ର ଭିଡିଓ କଲ୍‌ ମାଧ୍ୟମରେ ନିଜ ପତ୍ନୀ ଗର୍ଭବତୀ ଥିବା ନେଇ ଦେଖାଇଲା ପରେ ମଧ୍ୟ ପ୍ରଶାସନ ଚେତି ନାହିଁ। ବାରମ୍ବାର ଅନୁରୋଧ ସତ୍ତ୍ବେ ଛଡ଼ାଯାଉ ନାହିଁ। ୨୬ ଜଣଙ୍କ ମଧ୍ୟରୁ କିଛି ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେଣି। ତଥାପି ଛଡ଼ାଯାଉ ନାହିଁ। ତେଣୁ ତୁରନ୍ତ ଆମକୁ ଏଠାରୁ ଫେରାଇ ନେବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛୁ ବୋଲି ଅନିରୁଦ୍ଧ କହିଛନ୍ତି।

ସମ୍ବନ୍ଧିତ ଖବର