୨୮୨ଗ୍ରାମ୍ ବ୍ରାଉନସୁଗାର ଜବତ, ୨ଭାଇ ଜଗା-ବଳିଆ ଗିରଫ

ନଗଦ ୧୫ହଜାର ଟଙ୍କା ଓ ସ୍କୁଟି ଜବତ

ଭୁବନେଶ୍ବର: ଆଜି ଅପରାହ୍‌ଣରେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍ ଭୁବନେଶ୍ବର ୟୁନିଟ୍-୮ସ୍ଥିତ ନାରାୟଣୀ ବସ୍ତିରୁ ୨୮୨ଗ୍ରାମ୍ ଜବତ କରିଛି। ନିଶା କାରବାରରେ ଲିପ୍ତ ୨ଭାଇ ବଳରାମ ମହାନ୍ତି ଓରଫ ବଳିଆ ଏବଂ କାଳିଆ ମହାନ୍ତି ଓରଫ ଜଗାକୁ ଅବକାରୀ ବିଭାଗ ଗିରଫ କରିଛି। ସେମାନଙ୍କଠାରୁ ଏକ ସ୍କୁଟି ଓ ନଗଦ ୧୫ ହଜାର ଟଙ୍କା ଜବତ କରିଛି।

ସୂଚନାନୁଯାୟୀ, ଅବକାରୀ ବିଭାଗର କମିସନର୍ ଆଶିଷ ସିଂହଙ୍କ ନିର୍ଦ୍ଦେଶକ୍ରମେ ଗତ କିଛି ମାସ ହେବ ରାଜଧାନୀରେ ସ୍ବତନ୍ତ୍ର ଭାବେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଚଢ଼ଉ କରାଯାଉଛି। କିଛି ଦିନ ତଳେ ନାରାୟଣୀ ବସ୍ତିରେ ୨ଭାଇ ଜଗା-ବଳିଆ ନିଶା କାରବାର କରୁଥିବା ଅବକାରୀ ବିଭାଗ ଖବର ପାଇଥିଲା। ଆଜି ଅପରାହ୍‌ଣରେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଅଣାଯାଇଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୨ଭାଇ ଅବକାରୀ ବିଭାଗକୁ ପ୍ରଥମେ ଫାଙ୍କିଥିଲେ। ସ୍କୁଟି ଯାଞ୍ଚ କରିବାରୁ ଗାଡ଼ିରୁ କିଛି ଟିଫିନ୍ ବାକ୍ସ ବାହାରିଥିଲା।

ଅବକାରୀ ଅଧିକାରୀମାନେ ବାକ୍ସ ଖୋଲୁଥିବା ଦେଖି ଉଭୟ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଅବକାରୀ ଟିମ୍‌ ଗୋଡ଼ାଇ ଗୋଡ଼ାଇ ୨ଭାଇକୁ ମାଡ଼ି ବସିଥିଲେ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୮ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏସ୍‌ଆଇ ସଚିନ ବେହେରା, ଦିଲ୍ଲୀପ ବେହେରା, ରୋଶନ୍‌ ହାଁସଦା ଓ ଉମାକାନ୍ତ ସ୍ବାଇଁ ସାମିଲ ଥିଲେ।

ଏସ୍‌ଟିଏଫ୍‌ ଜାଳିଲା ସାଢ଼େ ୭ କେଜି ବ୍ରାଉନ୍‌ସୁଗାର

କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସାଢ଼େ ୭ କୋଟିରୁ ଊର୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜାଳି ନଷ୍ଟ କରିଛି। ୨୦୨୦ରୁ ୨୦୨୧ ମସିହା ମଧ୍ୟରେ ମୋଟ୍‌ ୬ଟି ମାମଲରେ ଜବତ ହୋଇଥିବା ୭ କେଜି ୩୫୬ ଗ୍ରାମ୍ ବ୍ରାଉନ୍‌ସୁଗାର ନଷ୍ଟ କରାଯାଇଛି। କୋର୍ଟଙ୍କ ଅନୁମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ। ଗତ ୩ବର୍ଷରେ ଏସ୍‌ଟିଏଫ୍‌ ୪୫୦ ଟନ୍‌ ଗଞ୍ଜେଇ ଓ ବିପୁଳ ବ୍ରାଉନସୁଗାର ଜବତ କରିଛି। ସେଗୁଡ଼ିକୁ ନଷ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କୋର୍ଟଙ୍କ ଅନୁମତି ପରେ ଗତ ୨୭ ତାରିଖରେ ରାଜ୍ୟ ଫୋରେନ୍ସିକ୍ ଲାବୋରେଟାରିର ଅଧିକାରୀ, ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ, ଏସ୍‌ପି, ଏସ୍‌ଟିଏଫ୍ ଅଧିକାରୀ, ଖୋର୍ଦ୍ଧା ଉପଜିଲ୍ଲାପାଳ, ଅବକାରୀ ଅଧୀକ୍ଷକଙ୍କ ଉପସ୍ଥିତରେ ଜବତ ବ୍ରାଉନ୍‌ସୁଗାରକୁ ଜାଳି ଦିଆଯାଇଥିଲା।

ସମ୍ବନ୍ଧିତ ଖବର