ନିଶା ବେପାରୀଙ୍କୁ ତଡ଼ିପାର୍‌ : ଦୁଇ ଦିନରେ ୧୮ ମାମଲା, ୨୯ ଗିରଫ

ଭୁବନେଶ୍ବର : ବ୍ରାଉନସୁଗାର, ମରଫିନ୍, ଗଞ୍ଜେଇ ଭଳି ମାରାତ୍ମକ ନିଶା କାରବାର କରୁଥିବା ବେପାରୀମାନଙ୍କୁ କମିସନରେଟ୍‌ ପୁଲିସ ଅଞ୍ଚଳରୁ ତଡ଼ିପାର୍‌ କରାଯିବ। କମିସନରେଟ୍‌ ପୁଲିସ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ସୋମବାର ପ୍ରଥମଥର ପାଇଁ ଏଭଳି ଏକ ଶୁଣାଣି ପୁଲିସ କମିସନରଙ୍କ କୋର୍ଟରେ ହେବାକୁ ଯାଉଛି।

ପୁଲିସ କମିସନର୍‌ ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ରାଜଧାନୀରେ ଘଟୁଥିବା ଅଧିକାଂଶ ଅପରାଧର ଅଭିଯୁକ୍ତମାନେ ହେଉଛନ୍ତି, ବ୍ରାଉନସୁଗାର ଖାଉଥିବା ଯୁବକ। ସେମାନେ ବ୍ରାଉନସୁଗାର ପାଇଁ ଚୋରି, ଲୁଟ, ଛିନ୍‌ତାଇ, ରାହାଜାନୀ ଭଳି ଅପରାଧ କରୁଥିବା ଧରାପଡ଼ିବା ପରେ ପୁଲିସ ଆଗରେ ସ୍ବୀକାର କରୁଛନ୍ତି। ଏସବୁ ଅପରାଧକୁ ରୋକିବା ଲାଗି କମିସନରେଟ୍‌ ପୁଲିସ ନିଶା ବେପାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଗତ ଦୁଇ ଦିନରେ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ନିଶା କାରବାର କରୁଥିବା ବେପାରୀଙ୍କ ଉପରେ ଚଢ଼ଉ କରାଯାଇଥିଲା। ଏନେଇ ଲକ୍ଷ୍ମୀସାଗର, ଚନ୍ଦକା, ସହିଦନଗର, ଖଣ୍ଡଗିରି, ଇନ୍‌ଫୋସିଟି, ନୂଆପଲ୍ଲୀ, ଖାରବେଳନଗର, ଜଟଣୀ, ବଡ଼ଗଡ଼ ଭଳି ଥାନାରେ ୧୮ଟି ମାମଲା ରୁଜୁ କରାଯାଇଛି। ସେହିପରି ୨୯ଜଣ ନିଶା ବେପାରୀଙ୍କୁ ଗିରଫ କରାଯିବା ସହ ୧୨୫ଗ୍ରାମ ବ୍ରାଉନସୁଗାର, ମରଫିନ୍, ୩୦ କେଜି ଗଞ୍ଜେଇ, ନଗଦ ୭୮ ହଜାର ଟଙ୍କା, ଗୋଟିଏ କାର, ୬ଟି ବାଇକ, ୮ଟି ମୋବାଇଲ, ସୁନାଗହଣା ଆଦି ଜବତ କରାଯାଇଛି। କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ ମଧ୍ୟ ଏହି ଅପରେସନ୍‌‌ରେ ସାମିଲ ଥିଲା।

ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, କମିସନ‌ରେଟ୍‌ ପୁଲିସର ଅର୍ବାନ ଆକ୍ଟର ଧାରା -୪୬ ଅନୁଯାୟୀ ନିଶା ବେପାରୀମାନଙ୍କୁ ରାଜଧାନୀରୁ ତଡ଼ିପାର୍‌ କରାଯିବ। ପ୍ରଥମେ ସମସ୍ତ ବେପାରୀଙ୍କୁ କମିସନରେଟ୍‌ ପୁଲିସ ନୋଟିସ୍‌ କରିବ। ନୋଟିସ୍‌ ପାଇବା ପରେ ପୁଲିସ କମିସନରଙ୍କ କୋର୍ଟରେ ଏହାର ଶୁଣାଣି ହେବ। ଶୁଣାଣି ବେଳେ ନିଶା ବେପାରୀମାନେ ସେମାନଙ୍କ ପକ୍ଷ(ଆଇନଜୀବୀ ମାଧ୍ୟମରେ ହେଉ ବା ବ୍ୟକ୍ତିଗତ ଭାବେ) ରଖିବେ। ଯଦି ତାଙ୍କ ପକ୍ଷ ଗ୍ରହଣୀୟ ନ ହୁଏ, ସେମାନଙ୍କୁ ଦୁଇବର୍ଷ ପାଇଁ ରାଜଧାନୀରୁ ତଡ଼ିପାର୍‌ କରି ଦିଆଯିବ। ଏପରିକି ନିଶା‌ ବେପାରୀ କେଉଁ ଅଞ୍ଚଳରେ ରହିବେ, ପୁଲିସ କମିସନର୍‌ ନିର୍ଦେଶ ମଧ୍ୟ ଦେଇପାରିବେ।

ତଡ଼ିପାର୍‌ ହେବାକୁ ଥିବା ନିଶା ବେପାରୀଙ୍କ ତାଲିକା

ବଡ଼ଗଡ଼ ଥାନା: ବାବାଜୀ ଚନ୍ଦ୍ର ସାହୁ
ଲକ୍ଷ୍ମୀସାଗର ଥାନା: ଆୟେଶା ବିବି, ସରିଫ ଖାନ, ତୁଳସୀ ଦାସ, ଅଜୟ ପରିଡ଼ା
ଖାରବେଳନଗର ଥାନା: ଲୋକେଶ ପାଲ, ଶିବ ଶଙ୍କର ବେହେରା
ଜଟଣୀ ଥାନା: ଅଜୟ ନାୟକ, ସୁକାନ୍ତ ନାୟକ, ଗୌତମ ବେହେରା, ରାଜେଶ ପଟ୍ଟନାୟକ, ପ୍ରୀତମ ଦାସ
ଖଣ୍ଡଗିରି ଥାନା: ଶିବୁ ଦାସ, ଜି ସତ୍ୟନାରାୟଣ, ମୁନା ସେଠୀ, ସୁଶାନ୍ତ କୁମାର ସାହୁ, ସତ୍ୟଜିତ ସାମଲ, ସେକ୍ ନୁରୁଦ୍ଧିନ, ଅଜୁ ଓରଫ ଅଜୁର୍ନ ପ୍ରଧାନ, ମୁରଲୀ ଓରଫ ହେମନ୍ତ କୁମାର କୁମାର ମହାଳିକ, ଶିବ ଓରଫ ରମାକାନ୍ତ ଜେନା

ମିଆଁମାର୍‌ରୁ ଓଡ଼ିଶା ଭାୟା ବାଂଲାଦେଶ

ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ହେଉଛି ମିଆଁମାର। ସେଠାରେ ଅର୍ନ୍ତଜାତୀୟ ନିଶା ବେପାରୀମାନେ ଅଛନ୍ତି। ବ୍ରାଉନସୁଗାର୍‌ ସେଠାରୁ ବାଂଲାଦେଶକୁ ଆସିବା ପରେ ଭାୟା ପଶ୍ଚିମବଙ୍ଗ ବାଲେଶ୍ବର, ଜଳେଶ୍ବର, ସୋର ଦେଇ ସାରା ଓଡ଼ିଶାକୁ ଚାଲାଣ ହେଉଛି। ଭୁବନେଶ୍ବରକୁ ଖୋର୍ଧାରୁ ବ୍ରାଉନ୍‌ସୁଗାର ଆସୁଛି। ଏଠାରେ ଛୋଟ ଛୋଟ ବେପାରୀମାନେ ପୁଡ଼ିଆ କରି ବିକ୍ରି କରୁଛନ୍ତି। ବିଶେଷକରି ଇଂଜନିୟରିଂ ଛାତ୍ର, ଭୁବନେଶ୍ବରକୁ ନୂଆ କରି ଆସୁଥିବା ଯୁବକ, ବସ୍ତିର ଯୁବକମାନେ ଏହି ନିଶା ମାୟାରେ ପଡ଼ୁଛନ୍ତି। ରାଜଧାନୀରୁ ନିଶା ମାଫିଆମାନଙ୍କୁ ବିତାଡ଼ିତ କରିବାକୁ କମିସନରେଟ ପୁଲିସ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ, ଏନ୍‌ସିବିର ମଧ୍ୟ ସହଯୋଗ ଲୋଡ଼ିବ।

ସମ୍ବନ୍ଧିତ ଖବର