ବିଡିଏ ବିପକ୍ଷରେ ଗଡ଼ୁଛି ୨୯୩୬ ମାମଲା

 ହାଇକୋର୍ଟରେ ୧୬୨୪, ରାଜସ୍ବ ପର୍ଷଦରେ ୩୨, ସବୁ ଅସମାହିତ

ଭୁବନେଶ୍ବର: ଭୁବନେଶ୍ବର ଡେଭେଲପ୍‌ମେଣ୍ଟ ଅଥରିଟି(ବିଡିଏ) ବିରୋଧରେ ଗଡ଼ୁଛି ୨ ହଜାର ୯୩୬ ମାମଲା। ବିଭିନ୍ନ ଅଦାଲତ, କମିସନ କୋର୍ଟ, ଜିଲ୍ଲାପାଳଙ୍କ କୋର୍ଟ, ଟ୍ରିବ୍ୟୁନାଲ୍‌, ଲୋକାୟୁକ୍ତ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏସବୁ ମାମଲା ପଡ଼ିଛି। ବିଡିଏର ନ୍ୟାୟିକ ଶାଖା ମୁଖିଆ ‘ଅଫିସର ଅନ୍‌ ସ୍ପେସାଲ ଡ୍ୟୁଟି’ଙ୍କ ଅଧୀନରେ ଜଣେ ସହକାରୀ ବିଧି ଅଧିକାରୀ, ଜଣେ ଏସ୍‌ଓ ଓ ଦୁଇଜଣ ମିନିଷ୍ଟରିଆଲ୍‌ କର୍ମଚାରୀ ରହିଛନ୍ତି। ତଥାପି ମାମଲାଗୁଡ଼ିକର ତ୍ବରିତ୍‌ ବିଚାର ହୋଇପାରୁନାହିଁ। କେଉଁଠି ସ୍ଥିତାବସ୍ଥା ଜାରି ରହିଛି ତ, କେଉଁଠି ପାରା ୱାରି ମନ୍ତବ୍ୟ ଦେବାରେ ବିଳମ୍ବ ହେଉଛି। ଫଳରେ ମାମଲାଗୁଡ଼ିକ ଅସମାହିତ ହୋଇ ରହୁଛି ଓ ଅନେକ ଲୋକାଭିମୁଖୀ ଯୋଜନା ଅଧପନ୍ତରିଆ ହୋଇପଡ଼ିଛି।

ସୂଚନା ମୁତାବକ, ଅଦ୍ୟାବଧି ବିଡିଏ ବିରୋଧରେ ଅଦାଲତ, କମିସନଙ୍କ କୋର୍ଟ, ଜିଲ୍ଲାପାଳଙ୍କ କୋର୍ଟ, ଟ୍ରିବ୍ୟୁନାଲ ପ୍ରଭୃତି ୨୭ଟି କୋର୍ଟରେ ୩୧୮୬ଟି ମାମଲା ଦାୟର ହୋଇଛି। ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏଥିରୁ ମାତ୍ର ୨୫୦ଟି ମାମଲାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି। ବାକି ୨୯୩୬ଟି ମାମଲା ଗଡ଼ୁଛି। ସର୍ବାଧିକ ମାମଲା ହାଇକୋର୍ଟରେ ଗଡ଼ୁଛି। ଏଠାରେ ମୋଟ ୧୬୯୨ ମାମଲା ଦାୟର ହୋଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ମାତ୍ର ୬୮ଟିରେ ରାୟ ପ୍ରକାଶ ପାଇଛି। ଆଉ ୧୬୨୪ ଟି ମାମଲା ବିଚାରାଧୀନ ରହିଛି। ଏହା ପରେ ଦୁଇ ନମ୍ବର ତାଲିକାରେ ରହିଛି ଭୁବନେଶ୍ବରର ବିଭିନ୍ନ ନିମ୍ନ ଅଦାଲତରେ ଦାୟର ହୋଇଥିବା ମାମଲା। ଏହାର ସଂଖ୍ୟା ହେଉଛି ୧୨୮୫। ଏଥିରୁ ଅଗଷ୍ଟ ଶେଷ ସୁଦ୍ଧା ୧୫୫ଟି ମାମଲାର ରାୟ ପ୍ରକାଶ ପାଇଛି। ଆଉ୧୧୩୦ଟି ମାମଲା ନିମ୍ନ ଅଦାଲତଗୁଡ଼ିକରେ ଗଡ଼ୁଛି। ସୁପ୍ରିମକୋର୍ଟରେ ୮ଟି ମାମଲା ଦାୟର ହୋଇଥିବା ବେଳେ ୨ଟି ବିଚାର ସରିଛି ଓ ୬ଟି ବିଚାର ପାଇଁ ରହିଛି।

ଷ୍ଟେଟ୍‌ ସିଡିଆ‌ରସିରେ ରୁଜୁ ହୋଇଥିବା ୨୪ ମାମଲାରୁ ୩ଟି ବିଚାର ହୋଇଛି। ଭୁବନେଶ୍ବର ଜିଲ୍ଲା ସିଡିଆରଏଫ୍‌ରେ ରୁଜୁ ହୋଇଥିବା ୬୫ ମାମଲାରୁ ମାତ୍ର ୨ଟିର ବିଚାର ଶେ‌ଷ ହୋଇଛି। ସବ୍‌ଜଜ୍‌ଙ୍କ ନିକଟରେ ୩ଟି ମାମଲାରୁ ୨ଟି ବିଚାର ହୋଇଥିବା ବେଳ‌େ ମୁନ୍‌ସିଫ୍‌ କୋର୍ଟରେ ୩ଟିରୁ ୨ଟି, ଆର୍‌ଡିସିଙ୍କ‌ କୋର୍ଟରେ ରୁଜୁ ହୋଇଥିବା ୩ଟିରୁ ଗୋଟିଏ, ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ରୁଜୁ ହୋଇଥିବା ଦୁଇଟି ମାମଲାରୁ ଗୋଟିଏ, ଭୁବନେଶ୍ବର ଡିସିପିଙ୍କ କୋର୍ଟରେ ରୁଜୁ ୨ଟି ମାମଲାରୁ ଗୋଟିଏ, ଅତିରିକ୍ତ ଡିସିପିଙ୍କ କୋର୍ଟରେ ରୁଜୁ ୪ଟି ମାମଲାରୁ ୨ଟି, ରେରାରେ ରୁଜୁ ହୋଇଥିବା ୫ଟି ମାମଲାରୁ ଗୋଟିଏ ମାମଲା ଫଇସଲା ହୋଇଛି। ଅନ୍ୟପକ୍ଷରେ ୧୧ଟି କୋର୍ଟରେ ରୁଜୁ ହୋଇଥିବା ୭୯ଟି ମାମଲାରୁ ଗୋଟିଏ ହେଲେ ଫଇସଲା ହୋଇନାହିଁ। ସର୍ବାଧିକ ୩୨ଟି ମାମଲା ରାଜସ୍ବ ପର୍ଷଦଙ୍କ କୋର୍ଟରେ ଦାୟର ହୋଇଛି। କିନ୍ତୁ ଗୋଟିଏ ହେଲେ ଫଇସଲା ହୋଇନାହିଁ।

ଦିଲ୍ଲୀ ଏନ୍‌ସିଡିଆରସିରେ ୩ଟି, କଟକ ଋଣ ପରିଶୋଧ କୋର୍ଟରେ ୫ଟି, ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ୧୦ଟି, ଜିଲ୍ଲା ଜଜ୍‌ଙ୍କ ନିକଟରେ ୪ଟି, ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ଟି, ସ୍ଥାୟୀ ଲୋକ ଅଦାଲତଙ୍କ କୋର୍ଟରେ ୮ଟି, ଖୋର୍ଦ୍ଧା ଜିଳ୍ଲାପାଳଙ୍କ କୋର୍ଟରେ ତିନିଟି, କଟକ ଆଇଜିଆରଙ୍କ କୋର୍ଟରେ ୪ଟି, ଜାତୀୟ ମାନବାଧିକାର କମିସନଙ୍କ କୋର୍ଟରେ ୩ଟି ଓ ଲୋକାୟୁକ୍ତଙ୍କ କୋର୍ଟରେ ରୁଜୁ ହୋଇଥିବା ୫ଟିରୁ ଗୋଟିଏ ହେଲେ ଫଇସଲା ହୋଇନାହିଁ। ସେହିଭଳି ‌୩ଟି କୋର୍ଟରେ ରୁଜୁ ହୋଇଥିବା ସମସ୍ତ ମାମଲା ଫଇସଲା ହୋଇଛି। ତାହା ହେଉଛି ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ରେ ରୁଜୁ ହୋଇଥିବା ୨ଟି, ଲେବର କୋର୍ଟରେ ୪ଟି ଓ ଓଏସ୍‌ପିସିଆର୍‌ଏଚ୍‌ରେ ରୁଜୁ ହୋଇଥିବା ଦୁଇଟି ମାମଲାର ବିଚାର ଶେଷ ହୋଇଛି।

ସମ୍ବନ୍ଧିତ ଖବର