ଭୁଅାଁ ବୁଲାଉଛି ଡ୍ରାଇଭର୍‌: କଣ୍ଟେନର୍‌ରୁ ୨ କୋଟିର ଗଞ୍ଜେଇ ଜବତ ମାମଲା

ଖଣ୍ଡଗିରି: ବଡ଼ ସୁଚିନ୍ତିତଭାବେ କଣ୍ଟେନର୍‌ରେ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ କେନ୍ଦ୍ର ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ଗିରଫ ହୋଇଥିବା ବିହାରୀ ଡ୍ରାଇଭର୍‌ ବିଭାଗୀୟ ଅଧିକାରୀମାନଙ୍କୁ ଭୁଅାଁ ବୁଲାଉଛି। ବିଭିନ୍ନ ବାହାନା କରି ସେ ବିଭାଗୀୟ ଅଧିକାରୀମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଉଥିବା ସୂଚନା ମିଳିଛି। ତେଣୁ ତଦନ୍ତରେ ସହଯୋଗ କରୁ ନଥିବାରୁ ତାକୁ ଆଜି କୋର୍ଟ ଚାଲାଣ କରାଯାଇ ନାହିଁ। ଆଜି ଦିନ ତମାମ୍‌ ତାକୁ ପଚରାଉଚରା କରାଯାଉଛି। ଏହି କାରବାର ପଛରେ ଏକ ବଡ଼ ର‍୍ୟାକେଟ୍‌ ଥିବାରୁ ବିଭାଗୀୟ ଅଧିକାରୀମାନେ କୌଣସି ପ୍ରକାରେ ସେମାନଙ୍କୁ ଠାବ କରିବା ପାଇଁ ଲାଗି ପଡ଼ିଛନ୍ତି। ଆଜି ହିଁ ଡ୍ରାଇଭର୍‌ଠାରୁ ସମସ୍ତ ତଥ୍ୟ ଆଦାୟ କରାଯିବ ବୋଲି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସବିଶେଷ ତଥ୍ୟ ମିଳିବା ପରେ ହୁଏତ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଗତକାଲି ବିହାରୀ ଡ୍ରାଇଭର୍‌କୁ ଅଧିକାରୀମାନେ ଜେରା କରିଥିଲେ। ମାଲ୍‌ କେଉଁଠାରୁ ଗାଡ଼ିରେ ଉଠିଥିଲା, ମାଲ୍‌ କେଉଁଠାକୁ ଚାଲାଣ ହେଉଥିଲା, ଗାଡ଼ି ମାଲିକଙ୍କ ଜ୍ଞାତସାରରେ ଏହି କାରବାର ଚାଲିଥିଲା କି ନା, କେତେଦିନ ହେଲାଣି ଏଭଳି ଚାଲାଣ ଚାଲିଥିଲା ବୋଲି ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ତେବେ ଏହି ଚୋରା କାରବାରର ମାଷ୍ଟର ମାଇଣ୍ଡ କିଏ ବୋଲି ବିଭାଗୀୟ ଅଧିକାରୀମାନେ ଜାଣିବାକୁ ଚାହିଁଥିଲେ। ମାତ୍ର ବିହାରୀ ଡ୍ରାଇଭର୍‌ ବଡ଼ ଚତୁରତାର ସହ ବହୁ ପ୍ରଶ୍ନକୁ ଏଡ଼ାଇ ଯାଉଥିଲା। କେତେବେଳେ ଦେହ ଅସୁସ୍ଥ ଥିବା ବାହାନା କରୁଥିଲା ତ କେତେବେଳେ ନିଦ ଲାଗୁଛି ଶୋଇବାକୁ ଦିଅ ବୋଲି କହି ଗାଲୁ ମାରୁଥିଲା। ତେଣୁ ଗୁଇନ୍ଦା ଅଧିକାରୀମାନେ ତା’ଠାରୁ ତଥ୍ୟ ହାସଲ କରିବା ସହଜ ହୋଇ ନଥିଲା। ଅପରପକ୍ଷେ ହେଲପ୍‌ରଭାବେ ଗାଡ଼ିରୁ ଅଟକ ରହିଯିବା ବ୍ୟକ୍ତିଟି ଏକ ନାବାଳକ। ମାତ୍ର ୧୨/୧୪ ବର୍ଷ ବୟସର ପିଲାଟା। ସେ ଗାଡ଼ିର ହେଲପର ନୁହେଁ ବୋଲି କହିଛି। ପ୍ରଥମ ଥର ପାଇଁ ତାକୁ ଅସ୍ଥାୟୀ ହେଲପରଭାବେ ଡ୍ରାଇଭର୍‌ ଘରୁ ଆଣିଥିଲା ବୋଲି ସେ କହିଛି। ତେଣୁ ଗୁଇନ୍ଦା ଅଧିକାରୀମାନେ ତା’ଠାରୁ କିଛି ତଥ୍ୟ ପାଇବା ସମ୍ଭାବନା ନାହିଁ। ତେଣୁ ତାକୁ ଚାଇଲ୍ଡ ଲାଇନ୍‌ରେ ଛାଡ଼ି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର