ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ମୋଟର ଯାନ ନିୟମକୁ ମାନିବି। ନିଜର ସୁରକ୍ଷା ସହ ଅନ୍ୟର ନିରାପତ୍ତା ପାଇଁ ରାସ୍ତା ବ୍ୟବହାର କରିବି। ଭୁବନେଶ୍ବରରେ ଆଜି ଏଭଳି ଶପଥ ନେଇଛନ୍ତି ୨ଲକ୍ଷ ଛାତ୍ରଛାତ୍ରୀ। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ମୋଟର ଯାନ ଆଇନ କଡ଼ାକଡ଼ି କରାଯାଇଛି। ଚାଳକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି ଏକ ନିଆରା ଶପଥ ପାଠ ଉତ୍ସବର ଆୟୋଜନ କରାଯାଇଥିଲା। କିସ୍‌ର ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶପଥପାଠ ଉତ୍ସବରେ ସାମିଲ ହୋଇଥିବା ବେଳେ ଟ୍ରାଫିକ୍ ଡିସିପି ସାଗରିକା ନାଥ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଶପଥ ପାଠ କରିଛନ୍ତି। କଟକ-ଭୁବନେଶ୍ବର ପୁଲିସ୍ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ଏହି ଉତ୍ସବରେ ସମାଜସେବୀ ପ୍ରସନ୍ନ ବିଶୋଇ, କିଟ୍ ଓ କିସ୍’ର ସଂପାଦକ ଆର୍.ଏନ୍. ଦାଶ ଯୋଗ ଦେଇଥିବା ବେଳେ ୱାଇ.ୟୁ.ଏଫ୍‌ର ‌ସ୍ବେଚ୍ଛାସେବୀମାନେ ପିଲାମାନଙ୍କୁ ସଚେତନତା ପତ୍ରିକା ବଣ୍ଟନ କରିଥିଲେ। ୟୁନିଟ-୬ ସରକାରୀ ହାଇସ୍କୁଲ୍‌ରେ ଗୁଇନ୍ଦା ଡିଡି ଡ. ସତ୍ୟଜିତ ମହାନ୍ତି ଯୋଗ ଦେଇଥିଲେ।

Advertisment

ସେହିଭଳି ଡିଏମ୍‌ ସ୍କୁଲରେ ଡିସିପି ଅନୁପ ସାହୁ ଯୋଗ ଦେଇଥିବା ବେଳେ ପୂର୍ବତନ ଡିଜି ଏନ୍‌ସି ପାଢ଼ୀ ଯାଭିୟର ଇଣ୍ଟରନାସନାଲ ସ୍କୁଲରେ ଯୋଗ ଦେଇଥିଲେ। ଆରଡିସି ରୋଟାରିଆନ୍‌ ଅନିଲ ସାମଲ ୟୁନିଟ୍‌-୯ ହାଇସ୍କୁଲରେ ଯୋଗଦେଇଥିବା ବେଳେ ପଳାସୁଣି ହାଇସ୍କୁଲରେ ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ର ନାଥ ସେଠୀ ଯୋଗ ଦେଇଥିଲେ। ଏହିଭଳି ଭୁବନେଶ୍ବର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କେବଳ ଭୁବନେଶ୍ବର ନୁହେଁ ବରଂ ରାଜ୍ୟର ସବୁଠି ପ୍ରଭାବ ପକାଇବ ବୋଲି ପୁଲିସ କମିସନର ଆଶା ବ୍ୟକ୍ତ କରିଥିଲେ। ସେହିପରି ନୂଆପଲ୍ଲୀ ସୟଦ ମମତାଜ ଅଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ପୁଲିସ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ନୂଆପଲ୍ଲୀ ଥାନା ଇନ୍‌ସପେକ୍ଟର ଅରୁଣ କୁମାର ସ୍ବାଇଁ, ଯୁବ ସମାଜସେବୀ ମିଲନ ପାଇକରାୟ, ବିଦ୍ୟାଳୟ ପ୍ରାଧନ ଶିକ୍ଷକ କାଦମ୍ବିନୀ ଦାସ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ।