‘ଜାତୀୟ ନାଟକ ମହୋତ୍ସବ’ର ଦ୍ବିତୀୟ ସନ୍ଧ୍ୟା: ‘ଉଞ୍ଚାଇ’‌ରେ ବସ୍ତୁବାଦୀ ମଣିଷର କାହାଣୀ

ଭୁବନେଶ୍ବର: ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ମଣିଷ ବସ୍ତୁର ଅଧୀନ ହୋଇ ମାନବୀୟ ଗୁଣ, ଶ୍ରଦ୍ଧା, ସ୍ନେହ ଓ ଭଲ ପାଇବା ଆଦିକୁ ପାସୋରି ଯାଉଛି। ଏହା ବଦଳରେ ଘୃଣା, ହିଂସା ଓ ପରଶ୍ରୀକାତରତା ଭଳି ଆସୁରିକ ଗୁଣଗୁଡ଼ିକୁ ସହଜରେ ଆଦରି ନେଉଛି। ଏଭଳି ଏକ କାହାଣୀକୁ ନେଇ ଆଜି ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ହିନ୍ଦୀ ନାଟକ ‘ଉଞ୍ଚାଇ’। ଫରାସୀ କଥାକାର, ଦାର୍ଶନିକ ଓ ନୋବେଲ୍‌ ପୁରସ୍କାର ବିଜେତା ଜିନ୍‌ ପାଲ୍‌ ସା‌ତ୍ତ୍ରେଙ୍କ ମନସ୍ତତ୍ତ୍ବଭିତ୍ତିକ କାହାଣୀ ‘ଇରୋଷ୍ଟ୍ରାଟସ୍‌’ ଉପରେ ପର୍ଯ୍ୟବସିତ ଏହି ନାଟକଟି ଦର୍ଶକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା।

ଭୁବନେଶ୍ବର ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ଆୟୋଜିତ ‘ଜାତୀୟ ନାଟକ ମହୋତ୍ସବ’ର ଦ୍ବିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ଏହି ନାଟକକୁ ବାହାରୁଲ୍‌ ଇସ୍‌ଲାମ୍‌ ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଗୌହାଟୀର ‘ସିଗଲ୍‌ ଥିଏଟର’ର କଳାକାର ବାହାଦୁଲ୍‌ ଇସ୍‌ଲାମ୍‌, ନିର୍ମାଲ୍ୟ ଶର୍ମା, ପ୍ରଶାନ୍ତ କଲିତା, ଦେବୋଜିତ୍ ବରଠାକୁର ଅଭିନୟ କରି ଦର୍ଶକଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇ ଦେଇଥିଲେ। ଆଜି ସଂଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, ସଙ୍ଗୀତ ନାଟକ ଏକା‌ଡେମିର ସଭାପତି ଅରୁଣା ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ବିଦ୍ୟାକନକ ସୃଜନାନୁଷ୍ଠାନର ସଭାପତି ସୁଧାକର ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଶୁଭକାନ୍ତୀ ପାଢ଼ୀ ସଭାକାର୍ଯ୍ୟ କରିଚାଳନା କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ବାହାରୁଲ୍‌ ଇସ୍‌ଲାମ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର