ଭୁବନେଶ୍ୱର: ଆଜି ଥିଲା ପବିତ୍ର ହେରାପଞ୍ଚମୀ ନୀତି। ଏହି ଅବସରରେ କୋଟି ବ୍ରହ୍ମାଣ୍ଡ ନାୟକ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ ସମର୍ପି କଣ୍ଠଶିଳ୍ପୀ ଗାଇ ଚାଲିଥିଲେ ଭାବର ସଙ୍ଗୀତ। କଣ୍ଠଶିଳ୍ପୀ ଗୀତର ତାଳେ ତାଳେ ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକମାନେ ନିଜକୁ ଜଗନ୍ନାଥଙ୍କ ପାଖରେ ପୂରାପୂରି ହଜାଇ ଦେଇଥିଲେ। ଦର୍ଶକମାନେ ଭକ୍ତିରସରେ ଭିଜି ଯାଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଦ୍ୱିତୀୟ ସଂଧ୍ୟାରେ ଏମିତି ଥିଲା ପରିବେଶ।

Advertisment

କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ଯୋଗଦେଇ ‘ଶ୍ୟାମ ପ୍ରୀତିରେ ସଖୀ ମୁଁ ସରିଗଲି’, ‘ଚାଲ ଦେଖିବା ସଜନୀ ଓ ପହଣ୍ଡି ବିଜୟ’, ସିଦ୍ଧାର୍ଥ ମିଶ୍ର ‘ପାହିଲା କି ନିଶି’ ଓ ‘ଦୀନବାନ୍ଧବ ହୋଇ ଦିନେ ଦୟା ନୋହିଲା’, ସୁନୀତା ବିଶ୍ୱାଳ ‘ମଣିମା ହେ ଏତିକି ମାଗୁଣି ମୋର’ ଓ ‘ଗାଇବି ଏଭଳି ଗୀତ ହେ ଠାକୁର’, ଅଭିଷେକ ପଣ୍ଡା ‘ଦିନବନ୍ଧୁ ଏହି ଅଳି ଶ୍ରୀଛାମୁରେ’ ଓ ‘ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ’, ସ୍ୱାଗତିକା ପାତ୍ର ‘ମୋ ପ୍ରଭୁ ଜଗନ୍ନାଥ’ ଓ ‘ମେଘ ମାଳକୁ’, ଏସ୍‍ ଚକ୍ର ‘ମୁଁ ବିଦଗ୍ଧ ମାଟି ଦୀପ ଦୁଃଖ ଶୁଣ ହେ କଳା ମୁଖ’ ଓ ‘ଏକା ତୋ ଭକତ ଜୀବନ’, ସଙ୍ଗୀତାଞ୍ଜଳି ନନ୍ଦ ‘ଆହେ ଦିନ ବାନ୍ଧବ ଆପଣାର କରିନିଅ’ ଓ ‘ମହାବାହୁ କାହାକୁ କହିବି ଦୁଃଖ’, ବନ୍ଦୀଶ ପାଲିତ ‘ଏକା ତୋ ଭକତ ଜୀବନ’ ଓ ‘ଛାଡ଼ ମାଡ଼ଖିଆ ବୁଦ୍ଧି ହେ’, ଦିବ୍ୟଜ୍ୟୋତି ଜେଠୀ ‘ଚନ୍ଦନ ଚର୍ଚିତ ନୀଳ କଳେବର’ ଓ ‘ଆସିଥିଲି କାଳିଆ ତୋ ଦରଶନ ପାଇଁ ରେ’ ଏବଂ ଶେଷରେ ପୁଣ୍ୟବ୍ରତ ରଥ ‘କଳା ଶ୍ରୀମୁଖ ହେ ନଗଲା ମୋର ଦୁଃଖ’ ଓ ‘ନାଉରିଆରେ ନାଉରିଆ ତୁ ସଅଳ ଚଲା ଡଙ୍ଗା’ ଭଳି ଲୋକପ୍ରିୟ ଜଗନ୍ନାଥ ଭଜନ ପରିବେଷଣ କରି ଦର୍ଶକଙ୍କୁ ଭାବବିଭୋର କରିଥିଲେ। କଣ୍ଠଶିଳ୍ପୀଙ୍କୁ ତବଲାରେ ଗୋବିନ୍ଦ ବେହେରା, ଢୋଲକରେ ପ୍ରମୋଦ ନନ୍ଦ, ବଂଶୀରେ ରୁଦ୍ରପ୍ରସାଦ ପରିଡ଼ା, ଅକ୍ଟୋପ୍ୟାଡ୍ରେ ଅନିରୁଦ୍ଧ ଧଳ, କି’ ବୋର୍ଡରେ ମନୋଜ ଦତ୍ତ ଏବଂ ହାରମୋନିୟମ୍‌ରେ ଅଜୟ ଦାଶ ସହଯୋଗ କରିଥିଲେ।

ଦ୍ୱିତୀୟ ସଂଧ୍ୟାର ଅତିଥି ଭାବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ନୃତ୍ୟ ବିଭାଗର ମୁଖ୍ୟ ସିକତା ଦାସ, ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ, ଉପ-ନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।