ଗୁରୁ ପଙ୍କଜ ଉତ୍ସବର ଦ୍ୱିତୀୟ ସଂଧ୍ୟା: ନୃତ୍ୟରୁ ଝରିଲା ଭକ୍ତିରସ

ଭୁବନେଶ୍ୱର: ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଗୁରୁ ପଙ୍କଜ ଉତ୍ସବ’ ଓ ‘ମାହାରୀ ସମ୍ମାନ ପ୍ରଦାନ ସମାରୋହ’ର ଆଜି ଥିଲା ୨ୟ ସନ୍ଧ୍ୟା। ଓଡ଼ିଶୀ ନୃତ୍ୟର ଆଦିଗୁରୁ ପଙ୍କଜ ଚରଣ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ କାଳୀ ମଙ୍ଗଳାଚରଣରେ ଦେବୀଙ୍କ ବିବିଧ ପ୍ରକାଶକୁ ମଞ୍ଚସ୍ଥ କରିଥିଲେ ରୁଚିକା ବାର୍ନାଜୀ। ରାଜଶ୍ରୀ ବିଶ୍ୱାସ ରାଧା-କୃଷ୍ଣ ପ୍ରୀତି ବିଳାସ ଆଧାରିତ ଅଭିନୟ ‘ବାଜୁଛି ସହୀ ବାଜାରେ’କୁ ଉପସ୍ଥାପନ କରିବା ପରେ ଶିଳ୍ପୀ ଦିଶା ଦେବଦୀପ୍ତା ଦେଶ ପଲ୍ଲବୀ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ପରେ ଓଡ଼ିଶୀ ଶିଳ୍ପୀ ଅଞ୍ଜନାମୟୀ ସାଇକିଆ ଶ୍ରୀଜୟଦେବକୃତ ଗୀତଗୋବିନ୍ଦର ଅଷ୍ଟପଦୀ ‘ସଖୀରେ କୈସି ମଥନ ମୁଦାରଂ’ର ଭକ୍ତିରସ ପରସି ଦେଇଥିଲେ।

ଲୋକପ୍ରିୟ ଭାରତନାଟ୍ୟମ୍ ଶିଳ୍ପୀ ରାଜ ଦତ୍ତ ତୁଳସୀ ଦାସଙ୍କ ଭକ୍ତି ସଙ୍ଗୀତ ଆଧାରିତ ନୃତ୍ୟାଭିନୟ ସହ ଶୁଦ୍ଧ ନୃତ୍ୟ ‘ତିଲ୍ଲାନା’ ଉପସ୍ଥାପନ କରିଥିଲେ। ସନ୍ଧ୍ୟାର ଅନ୍ତିମ ପର୍ଯ୍ୟାୟରେ ଶିଳ୍ପୀ ସୌରଭ ମହାନ୍ତି ‘ସୂର୍ଯ୍ୟାଷ୍ଟକ’ ଭକ୍ତିଭାବ ସଂଚରିତ କରିଥିଲା। ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଗୁରୁ ଶରତ ଦାସ ଉପସ୍ଥିତ ଥିଲେ। ଶେଷରେ ସଭାପତି ବଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବାବେଳେ ଗୁରୁ ସୁହାଗନଳିନୀ ଦାସ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର