ପୁରୁଣା ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ମୁକ୍ତେଶ୍ବର ଉତ୍ସବର ଦ୍ବିତୀୟ ସଂଧ୍ୟା ବି ଆଜି ଲୋକାରଣ୍ୟ ଥିଲା। ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶିବ ବନ୍ଦନାରୁ ଆରମ୍ଭ ହୋଇଥିଲା। ‘ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ... ଓଁ ନମଃ ଶିବାୟ’ ପରିବେଷଣ କରିଥିଲେ କଟକର ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଓ ସାଥୀ। ପରେ ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ହରେକୃଷ୍ଣ ଧଳ ପରିବେଷଣ କରିଥିଲେ ‘ଭୁ-ଶମ୍ଭୁ’।
ଗୁରୁ ମାତୃ ପ୍ରସାଦ ଦାସ ସଙ୍ଗୀତ ସଂଯୋଜନା କରିଥିବା ବେଳେ ରୋହିତ ପ୍ରଧାନ ଶବ୍ଦ ସଂଯୋଜନା ଓ ଗୁରୁ ପ୍ରଭାତ କୁମାର ସ୍ୱାଇଁ ନୃତ୍ୟ ସଂରଚନା କରିଥିଲେ। ପରେ ପରେ ରାମ ଚରିତ ମାନସରୁ ଉଦ୍ଧୃତ ଅଭିନୟ ‘ବାଳୀବଧ’ର ନୃତ୍ୟ ସଂରଚନା କରିଥିଲେ ଗୁରୁ ପ୍ରଭାତ କୁମାର ସ୍ୱାଇଁ। ଗୁରୁ ସୁକାନ୍ତ କୁମାର କୁଣ୍ଡୁ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ୱର ସ୍ୱାଇଁ ତାଳ ସଂଯୋଜନା କରିଥିଲେ। ଅଭିନୟ ରୂପ ତଥା ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରି। ଆଜି ସଂଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ଡ. ମନ୍ମଥ କୁମାର ଶତପଥୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସଙ୍ଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରି ଓ ସଂହତି ପାଣି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।