ଚନ୍ଦ୍ରଶେଖରପୁର : ବଢ଼ୁଛି ରାଜଧାନୀ କଳେବର। ଜନସଂଖ୍ୟା ବି ବୃଦ୍ଧି ପାଉଛି। ବର୍ଷ କେଇଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି ଭୁବନେଶ୍ବରର ନକ୍ସା। ଗୋଟିଏ ସମୟରେ ଲକ୍ଷେରୁ କମ୍ ଲୋକ ବସବାସ କରୁଥିବା ଏହି ସହରର ଜନସଂଖ୍ୟା ଏବେ ୧୬ ଲକ୍ଷ ଟପି ଗଲାଣି। ସହରର ପରିସୀମା ଉତ୍ତରରେ କଟକ ଛୁଇଁଲାଣି। ଦକ୍ଷିଣରେ ପିପିଲିମୁହାଁ, ପଶ୍ଚିମରେ ଖୋର୍ଦ୍ଧା ଡେଇଁଥିବା ବେଳେ ପୂର୍ବରେ ବାଲିଅନ୍ତା ଆଡ଼କୁ ମାଡ଼ି ଚାଲିଛି ସହର। ନୂଆ ନୂଆ ଅଞ୍ଚଳ ଯୋଡ଼ି ହେବା ସହ ହୁ’ ହୁ’ ହୋଇ ଜନସଂଖ୍ୟା ବି ବଢ଼ି ଚାଲିଛି। ତା’ ସତ୍ତ୍ବେ ବି ସହରରେ ଜିଲ୍ଲାସ୍ତରୀୟ ସରକାରୀ ମେଡିକାଲ ସଂଖ୍ୟା ବୃଦ୍ଧି ହେଉନାହିଁ। ଏବେ ବି ସେହି ଗୋଟିଏ ସରକାରୀ ମେଡିକାଲ ‘କ୍ୟାପିଟାଲ ହସ୍ପିଟାଲ’ ଉପରେ ସହରର ୧୬ଲକ୍ଷ ଲୋକଙ୍କ ଭରସା। ମାଳ ମାଳ ଘରୋଇ ମେଡିକାଲ ଖୋଲି ରାଜ୍ୟ ସରକାର ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଉଥିବା ଡିଣ୍ଡିମ ପିଟୁଥିବା ବେଳେ ଆଜି ପର୍ଯ୍ୟନ୍ତ ସହରରେ ଦ୍ବିତୀୟ ବୃହତ୍ତମ ସରକାରୀ ମେଡିକାଲର ସ୍ବପ୍ନ ସାକାର ହୋଇପାରିନାହିଁ।
୧୬ ଲକ୍ଷ ଲୋକଙ୍କ ପାଇଁ କ୍ୟାପିଟାଲ ହିଁ ଭରସା
ଘୋଷଣା କରୁଛନ୍ତି, ବିକାଶ କରୁନାହାନ୍ତି
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସହରରେ ଦ୍ବିତୀୟ ବୃହତ୍ତର ସରକାରୀ ମେଡିକାଲ ପ୍ରତିଷ୍ଠା ଲାଗି ଗତ ଦଶନ୍ଧି ହେଲା ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରୁଛନ୍ତି। କେତେବେଳେ ଗାଡ଼କଣରେ ତ ଆଉ କେତେବେଳେ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ଲାଗି ନକ୍ସା ପ୍ରସ୍ତୁତ କରୁଛନ୍ତି। ମାତ୍ର ତାହା ଏବେ ବି କେବଳ ଘୋଷଣାରେ ହିଁ ସୀମିତ ରହିଯାଇଛି। ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର ପ୍ରଭୃତି ସ୍ଥାନରେ ନୂତନ ଘରୋଇ ମେଡିକାଲ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଇତିମଧ୍ୟରେ ଅନୁମତି ଦେଇ ସାରିଛନ୍ତି।
ଉପକଣ୍ଠରେ ଆଉ କିଛି ଘରୋଇ ମେଡିକାଲ ପ୍ରତିଷ୍ଠା ଲାଗି ରାଜିନାମା ହୋଇସାରିଛି। ମାତ୍ର ସରକାରୀ ମେଡିକାଲରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଶାଇ ୨୨ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ହୋଇପାରୁନି। ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ ତାହା ରୋଗୀଙ୍କୁ ଅଧିକାଂଶ ସମୟରେ ସେବା ଯୋଗାଇବାରେ ବିଫଳ ହେଉଛି। ଯେଉଁଥିପାଇଁ ରୋଗୀଙ୍କୁ ଘରୋଇ ମେଡିକାଲ ନ ହେଲେ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପୁରୁଣା ଭୁବନେଶ୍ବରରେ ଥିବା ବିଏମ୍ସି ମେଡିକାଲ ମଧ୍ୟ ରୋଗୀଙ୍କୁ ରୋଗୀଙ୍କୁ ସେବା ଯୋଗାଇବାରେ ବିଫଳ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ କଥା ନ କହିବା ଭଲ। କେବଳ ସକାଳେ ଓ ସନ୍ଧ୍ୟାରେ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ଯାଉଛି। ଯେଉଁଥିପାଇଁ ରୋଗୀ ରାତି ଅଧରେ ହଟହଟା ହେଉଛନ୍ତି।
ଯଦି ସହରର ଦୃଶ୍ୟପଟ୍ଟ ଦେଖିବା, ଗତ ୨୨ବର୍ଷ ମଧ୍ୟରେ ନୂତନ ଭୁବନେଶ୍ୱର ଭାବେ ପରିଚିତ ଚନ୍ଦ୍ରଶେଖରପୁର ଅଞ୍ଚଳ ବିକାଶ ଆଡ଼କୁ ଅଗ୍ରସର ହୋଇଛି। ଏଠାରେ ବଡ଼ବଡ଼ ଶିକ୍ଷାନୁଷ୍ଠାନ, ବାଣିଜ୍ୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦପ୍ତର, ବେସରକାରୀ ଡାକ୍ତରଖାନା ଓ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଗଢ଼ି ଉଠିଛି। ଏଥିସହ ସହର ମଧ୍ୟରୁ ବସ୍ତି ସ୍ଥାନାନ୍ତର କରାଯାଇ ଏହି ଅଞ୍ଚଳରେ ଥଇଥାନ କରାଯାଇଛି। ଲୋକ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିବାରୁ ଲୋକଙ୍କୁ ସାମାନ୍ୟ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯିବାକୁ ପଡ଼ୁଛି।
ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାମାନ୍ୟ ଚିକିତ୍ସା ସୁବିଧା ଯୋଗାଇ ପାରୁନାହାନ୍ତି। ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ଓ ଲୋକଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି କରିବା ପରେ ଗତ ନଭେମ୍ବର ମାସରେ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ୧୨ନମ୍ବର ୱାର୍ଡରେ ପହଞ୍ଚି ବିଭିନ୍ନ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ। ଗାଡ଼କଣସ୍ଥିତ ନୂତନ ସରକାରୀ କଲୋନି ନିକଟରେ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା ଲାଗି ରଖାଯାଇଥିବା ୫ଏକର ଜମି ବୁଲି ଦେଖିଥିଲେ। ଏଠାରେ ମେଡିକାଲ ନିର୍ମାଣ କରାଗଲେ ବହୁ ଲୋକ ଉପକୃତ ହେବେ ବୋଲି ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁଙ୍କ ସମେତ ବୁଦ୍ଧିଜୀବୀମାନେ ପ୍ରସ୍ତାବ ରଖିଥିଲେ। ଇତିମଧ୍ୟରେ ୫ ମାସ ବିତିଥିଲେ ମଧ୍ୟ ଫଳ ଶୂନ। କେବେ ଦ୍ବିତୀୟ ଜିଲ୍ଲାସ୍ତରୀୟ ସରକାରୀ ମେଡିକାଲ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।
ଚାପରେ କ୍ୟାପିଟାଲ ହସ୍ପିଟାଲ
କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ବଢ଼ୁଛି। ବର୍ଷା, ବାତ୍ୟା, ବନ୍ୟା ସମୟ ସ୍ଥିତି ନ କହିବା ଭଲ। ହସ୍ପିଟାଲଠାରୁ ଶହେ କିମି ପରିମିତ ଅଞ୍ଚଳ ଲୋକେ ଏବେ ବି ଏହି ହସ୍ପିଟାଲ ଉପରେ ଭରସା କରୁଛନ୍ତି। ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା ସମେତ ଖୋର୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାର ରୋଗୀମାନଙ୍କ ସୁଅ ବିଭିନ୍ନ ସମୟରେ ହସ୍ପିଟାଲକୁ ଛୁଟିବାରେ ଲାଗୁଛି। ବିଶେଷକରି ବର୍ଷା ଦିନେ ଏହି ସବୁ ଜିଲ୍ଲାରୁ ଶହଶହ ସଂଖ୍ୟାରେ ରୋଗୀ ଆସୁଥିବାରୁ ରାଜଧାନୀର ଏହି ପ୍ରମୁଖ ହସ୍ପିଟାଲରେ ଅନେକ ସମୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।
ହଠାତ୍ ସଂଖ୍ୟା ବଢ଼ିଯିବାରୁ ବହୁ ରୋଗୀ ହସ୍ପିଟାଲର ବାରଣ୍ଡାରେ ପଡ଼ି ରହି ଚିକିତ୍ସିତ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଅସ୍ଥିଶଲ୍ୟ, ମେଡିସିନ୍ ଓ ହଇଜା ଭଳି ୱାର୍ଡରେ ଜାଗା ମିଳୁନି। ଏହାବ୍ୟତୀତ କାଜୁଆଲିଟିରେ ଦିନତମାମ ଭିଡ଼ ପରିଲକ୍ଷିତ ହେଉଛି। ଏହି ହସ୍ପିଟାଲରେ ୫୩୧ଟି ସ୍ଥାୟୀ ଶଯ୍ୟା ରହିଥିବା ବେଳେ ପାଖାପାଖି ୨୦୦ ଅସ୍ଥାୟୀ ଶଯ୍ୟା ମାଧ୍ୟମରେ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ମାତ୍ର ବିଭିନ୍ନ ସମୟରେ ଶଯ୍ୟାଠାରୁ ଅଧିକ ରୋଗୀ ଆସୁଥିବାରୁ ବହୁ ରୋଗୀ ବାରଣ୍ଡାରେ ଗଡ଼ୁଥିବା ଦେଖିବାକୁ ମିଳୁଛି। ବର୍ଷା ଓ ବନ୍ୟା ସମୟରେ ବହୁ ରୋଗୀ ପାଖ ଡାକ୍ତରଖାନା ଉପରେ ଭରସା କରିପାରୁନାହାନ୍ତି। ତେଣୁ ଆର୍ଥିକ ଦୃଷ୍ଟିରୁ ଟିକିଏ ସ୍ବଚ୍ଛଳ ରୋଗୀ ଓ ସେମାନଙ୍କ ଅଭିଭାବକ ଏବେ ରାଜଧାନୀମୁହାଁ ହୋଇଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ହଠାତ୍ ଚାପ ବଢ଼ି ଯାଉଛି।