ଭୁବନେଶ୍ବର: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ପକ୍ଷରୁ ନାଲ୍କୋ ଭବନ ଅଡିଟୋରିୟମ୍ରେ ‘ନିଧି ଆପ୍କେ ନିକଟ ୨.୦’ ସଚେତନତା କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ନୋଡାଲ ଏନ୍ଫୋର୍ସମେଣ୍ଟ୍ ଅଫିସର୍ ଅଲେଖ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦ଜଣ ହିତାଧିକାରୀ ଯୋଗଦେଇ ସେମାନଙ୍କର ଅଭିଯୋଗଗୁଡ଼ିକର ସମାଧାନ କରିଥିଲେ। ନାଲ୍କୋର ମାନବ ସମ୍ବଳ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ରଙ୍କ ସମେତ ନିର୍ଦ୍ଦେଶକ ମଣ୍ଡଳୀ, ଡିଜିଏମ୍ ଏଚ୍ଏସ୍ ପ୍ରଧାନ, ଜିଏମ୍ ବି.କେ ଦାସ, ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ଉପରେ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଇପିଏଫ୍ଓ କାର୍ଯ୍ୟାଳୟର ଲେଖା ଅଧିକାରୀ ପ୍ରଶାନ୍ତ କୁମାର, ଡିଇଓ ଦେବେନ୍ଦ୍ର ସେନାପତି, ଏସ୍ଏସ୍ଏ ବିଜୟ ଷଡ଼ଙ୍ଗୀ, କନକ ମଞ୍ଜରୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଭବିଷ୍ୟନିଧି ସଂଗଠନ ଦ୍ବାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ଅଧିକ କ୍ରିୟାଶୀଳ ଏବଂ ଲୋକାଭିମୁଖୀ କରିବା ତଥା ଉପଭୋକ୍ତାମାନଙ୍କର ତୁରନ୍ତ ଅଭିଯୋଗ ସମାଧାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଦେଶବ୍ୟାପୀ ସମସ୍ତ ଜିଲ୍ଲାରେ ପ୍ରତି ମାସ ଶେଷରେ ଏଭଳି କାର୍ଯ୍ୟକ୍ରମ କରାଯିବା ନେଇ ସ୍ଥିର କରାଯାଇଥିବାବେଳେ ଦ୍ବିତୀୟ ସଂସ୍କରଣ ସଫଳତାର ସହ ଶେଷ ହୋଇଛି।