ଭୁବନେଶ୍ବର: ଜାପାନୀ ବାବୁ ଯେତିକି ଅଦ୍ଭୁତ ଥିଲେ, ସେତିକି ଅମାୟିକ ଥିଲେ। ମୁଁ କରଞ୍ଜିଆ କଲେଜରେ ଅଧ୍ୟକ୍ଷ ହେବା ପରେ ତାଙ୍କ ପରିବାର ସହ ସମ୍ପର୍କ ହୋଇଥିଲା। ମୁଁ ‘କରଞ୍ଜିଆ ଡାଏରି’ ଲେଖିବା ବେଳେ ଜାପାନୀ ବାବୁଙ୍କ କକା ଶୈଳେଶ ବାବୁ ସହଯୋଗ କରିଥିଲେ। କିନ୍ତୁ ସେଥିରେ ସ୍ଥାନିତ ଭୂତପ୍ରେତକୁ ଜାପାନୀ ବାବୁ ପ୍ରଥମେ ବିଶ୍ବାସ କରିନଥି‌ଲେ। ପରେ ବହିର ଚରିତ୍ରମାନଙ୍କୁ ଭେଟିବା ପରେ ସେ ତାକୁ ଗ୍ରହଣ କରିଥିଲେ। ‘ସୁକୁବିନା ସ୍ରଷ୍ଟା ଟ୍ରଷ୍ଟ’ ପକ୍ଷରୁ ସ୍ବର୍ଗତ ସୁଧୀର କୁମାର ବଜେନ୍ଦ୍ର ନାରାୟଣ(ଜାପାନୀ)ଙ୍କ ସ୍ମୃତି ଉଦ୍ଦେଶ୍ୟ‌ରେ ଜୟଦେବ ଭବନରେ ଆୟୋଜିତ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା’ ସ୍ମାରକୀ ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଆଜି ଏହା କହିଛନ୍ତି।

Advertisment

ଟ୍ରଷ୍ଟି ଦାଶ ବେନହୁର ସଭାପତିତ୍ବ କରି କହିଲେ, ସହଜ କାହାଣୀର ରସାଳ ଗାଳ୍ପିକ ଥିଲେ ଜାପାନୀ ବାବୁ। ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ଟ୍ରଷ୍ଟି ବିଶିଷ୍ଟ କଥାକାର ଗୌରହରି ଦାସ, ପ୍ରଫେସର୍‌ ଯତୀନ୍ଦ୍ର ନାୟକ, ଗାଳ୍ପିକ ପ୍ରଦୀପ ବିଶ୍ବାଳ, ରାମହରି ଜେନା ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ରୀ ଦାସ କହିଲେ, ପ୍ରତ୍ୟେକ ମଣିଷ ଗୋ‌ଟିଏ ଗୋଟିଏ ଗପ। ଗପ ପାଲଟିବା ଭାଗ୍ୟ ଓ ନିୟତିର କଥା। ସଂଗୀତା ପଟ୍ଟନାୟକ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ମୀରା ଦାସ ଜାପାନୀ ବାବୁଙ୍କ ପୁସ୍ତକରୁ ଏକ ଗପ ପାଠ କରିଥିଲେ। ଟ୍ରଷ୍ଟି ପୂରବୀ ଦାସ ପ୍ରାରମ୍ଭିକ ଭାଷଣ ଓ ସିଦ୍ଧାର୍ଥ ଦାସ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା’ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ଜାପାନୀ ବାବୁଙ୍କ ରଚିତ ପୁସ୍ତକ ‘ଜାପାନୀ ବାବୁଙ୍କ କଥା ସମାହାର’ର ଦ୍ବିତୀୟ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା। ସେହିପରି ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ‘ବିବିସ’ ପକ୍ଷରୁ ପ୍ରସ୍ତୁତି ହୋଇଥିବା ‘ମାଇଁ ଭିଲେଜ ମାଇଁ ଲାଇଫ୍‌’ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।