ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେଉଥିବା ତଥାକଥିତ ସାହିତ୍ୟ-ଉତ୍ସବ କେବଳ ଦଳଗତ ଆଲୋଚନା, ବକ୍ତବ୍ୟ ଓ ଗଳ୍ପ-କବିତା ପାଠରେ ସୀମିତ ରହିଆସିଛି। କିନ୍ତୁ ଟାଇମ୍ପାସ୍ ଦ୍ୱାରା ଆୟୋଜିତ ‘ଉତ୍ସାହିତ୍ୟ’ ଉତ୍ସବ ସଂପୂର୍ଣ୍ଣ ଭିନ୍ନ ଏକ ଧାରାରେ ତା’ର ସ୍ଥିତି ଜାହିର କରିଛି।
ଗତ ୧୯ ଡିସେମ୍ବରରେ ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ଏହି ଉତ୍ସବର ଦ୍ୱିତୀୟ ସଂସ୍କରଣ ବେଶ୍ ଉତ୍ସାହ ଓ ଉତ୍କଣ୍ଠାପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏକକ ଅତିଥି ଭାବେ ଯୋଗଦେଇ ନିଜ ରଚନାସମୂହର ଇତିବୃତ୍ତ ବଖାଣିବା ସହ ଦର୍ଶକଙ୍କ ସହ ଭାବ ବିନିମୟ କରିଥିଲେ।
ଏହି ଅବସରରେ ତାଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଶ୍ରୀ ପଟ୍ଟନାୟକଙ୍କ ଏକ ଗଳ୍ପକୁ ନେଇ ପ୍ରାଚୀତାରା ଏକକ ଅଭିନୟ କରିଥିଲେ ଓ ସମାନ୍ତରାଳ ଭାବେ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ କାନ୍ଭାସରେ ଆଙ୍କିଥିଲେ ତାଙ୍କ ଚିତ୍ର ଓ ଚରିତ୍ରମାନଙ୍କୁ। ସେହିଭଳି ତାଙ୍କ ରଚିତ ଏକ କବିତା ଆବୃତ୍ତି କରି ଶୁଣାଇଥିଲେ ଯୁବ କବି ସୁମନ ଦାଶ।
କଥାକାର ମୃଣାଳଙ୍କ ସଂଯୋଜନାରେ ଅଜୟ ସ୍ୱାଇଁ, ପରେଶ ପଟ୍ଟନାୟକ, ସ୍ୱାଗତିକା ସ୍ୱାଇଁ ଓ ଅମରେଶ ବିଶ୍ୱାଳ ସମକାଳୀନ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ଭାବ ଅଭାବକୁ ନେଇ ମୁକ୍ତ ବିଶ୍ଳେଷଣ କରିଥିଲେ। ପରବର୍ତ୍ତୀ ଅଧିବେଶନରେ ଯୁବ-ପୁରସ୍କାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଶକ୍ତି ମହାନ୍ତି, କ୍ଷେତ୍ରବାସୀ ନାଏକ, ସୃଷ୍ଟିଶ୍ରୀ ନାଏକ ଓ ଜ୍ଞାନୀ ଦେବାଶିଷ ମିଶ୍ର।
ତେବେ ମନ କିଣିଥିଲା ‘କବିତା କ୍ୟାଟ୍ୱକ୍’। ଏହି ସତ୍ରରେ ମଡେଲ୍ମାନେ ଓଡ଼ିଶାର ହସ୍ତତନ୍ତ ପରିଧାନ କରି କ୍ୟାଟ୍ୱକ୍ କରୁଥିବାବେଳେ ପ୍ରବାସିନୀ ମହାକୁଡ଼, ପ୍ରଜ୍ଞାଶ୍ରୀ ରଥ, ଚିରଶ୍ରୀ ଇନ୍ଦ୍ରସିଂ, ଶୁଭଶ୍ରୀ ଲେଙ୍କା, ଶର୍ମିଷ୍ଠା ସାହୁ, ସ୍ୱପ୍ନା ମିଶ୍ର, ପ୍ରତୀକ୍ଷା ଜେନା ପ୍ରମୁଖ ନାରୀ କବିମାନେ ଶାଢ଼ି ସଂପର୍କୀତ କବିତା ଆବୃତ୍ତି କରିଥିଲେ।
‘ଗୀତ ସଙ୍ଗୀତର କକ୍ଟେଲ୍’ ଅଧିବେଶନରେ ଗୀତ ପଛର ଗପ କହିଥିଲେ ଗୀତିକାର ପଞ୍ଚାନନ ନାୟକ, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି, ମୋହିତ ଚକ୍ରବର୍ତ୍ତୀ ଓ ରଂଜନ କୁମାର ଦାସ। ସଙ୍ଗୀତ ପରିବେଷଣ କରିଥିଲେ ଶରତ ନାୟକ, ଶ୍ରୀଚରଣ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ, ସୁସ୍ମିତା ଦାସ ଓ ବିଜୟଲକ୍ଷ୍ମୀ ଶତପଥୀ। ଅନ୍ତିମ ଅଧିବେଶନରେ ହିନ୍ଦୀ ଭାଷାର ସୁଖ୍ୟାତ କବି ଓ କଥାକାର ଧ୍ରୁବ ଶୁକ୍ଳା ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅନୁଭୂତି ସହ ସାହିତ୍ୟକୁ ସଂଯୋଗ କରି ଖୁବ୍ ରୋଚକ ଭାବେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
ବିଶିଷ୍ଟ କଥାକାର ଗୌରହରି ଦାସ, କବି ରଂଜନ କୁମାର ଦାସ, ବ୍ୟଙ୍ଗକାର ଜ୍ଞାନ ହୋତା ପ୍ରମୁଖ ସାହିତ୍ୟର ବିଭିନ୍ନ ଦିଗକୁ ନେଇ ସୁଚିନ୍ତିତ ମତାମତ ରଖିଥିଲେ। ଏହି ଅବସରରେ ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକଙ୍କୁ ‘ଟାଇମପାସ୍ ବୁକର ପୁରସ୍କାର’, ପଞ୍ଚାନନ ନାୟକ, ଚିତ୍ତରଞ୍ଜନ ନାୟକ, ଶୁଭନାରାୟଣ ସ୍ୱାଇଁ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଲୋପାମୁଦ୍ରା ମିଶ୍ର ଓ ନିରୁପମା ବେହେରାଙ୍କୁ ‘ଟାଇମ୍ପାସ୍ ବେଷ୍ଟ୍ସେଲର୍ ପୁରସ୍କାର’ ଏବଂ ମାନି ଦାଶଙ୍କୁ ‘ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରକାଶନ ପକ୍ଷରୁ ପ୍ରଥମ ପାଣ୍ଡୁଲିପିକୁ ନେଇ ପ୍ରତିବର୍ଷ ହେଉଥିବା ‘ପ୍ରଥମା’ ପ୍ରତିଯୋଗିତାରେ ଏଥର ସଫଳ ହୋଇଥିବା ବିଜୟ ବାରିକ, ଧର୍ମେନ୍ଦ୍ର ଚୁହାନ୍, ପ୍ରଶାନ୍ତ ପ୍ରଧାନ, ସାଗରିକା ନାୟକ, ଜଳଦେବ ବେରିହା, ପ୍ରୀତିପ୍ରୀୟା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।
୩୦ ବର୍ଷ ବୟସ ସୀମାର ୩୦ଜଣ ତରୁଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁସ୍ତକ ଲୋକାର୍ପଣ, ସୃଜନଶୀଳ ଫଟୋ ପ୍ରଦର୍ଶନ, ଚଳଚ୍ଚିତ୍ର ପର୍ଦ୍ଦାୟନ, ପୁସ୍ତକ ପ୍ରଦର୍ଶନୀ, ଲେଖକଙ୍କ ସହ ପ୍ରଶ୍ନୋତ୍ତର, ସାହିତ୍ୟ-କୁଇଜ୍ ଆଦି ଅନେକ ରୋଚକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜୟ ମଲ୍ଲ ଓ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରାରମ୍ଭିକ ଅଭ୍ୟର୍ଥନା ଓ ଅନ୍ତିମ କୃତଜ୍ଞତା ଜଣାଇଥିଲେ ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ଯୁବ ଓ ତରୁଣ ଲେଖକ ଲେଖିକା ଯୋଗ ଦେଇଥିଲେ। ଅବିନାଶ ସାହୁ, ବେଦପ୍ରକାଶ ନାୟକ, ଜ୍ୟୋତିରଂଜନ ରାଉତ, ଆଶିଷ ମିଶ୍ର, ଅରୁଣ ଦାସ, ସତ୍ୟଜିତ ମିଶ୍ର, ସୋନମ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।