ପୁରୁଣା ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗଡ଼ ବ୍ରିଟ୍ କଲୋନି, ପାଣ୍ଡବନଗର, ମେଘେଶ୍ବର କଲୋନି, ଜଗନ୍ନାଥ କଲୋନି, ବ୍ରହ୍ମେଶ୍ୱରପାଟଣା, ଶିବ ନଗର, ଟଙ୍କପାଣି ରୋଡ୍ ଏବଂ ଆଖପାଖ ଅଞ୍ଚଳକୁ ଖୁବ୍ଶୀଘ୍ର ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ଯୋଜନାରେ ୱାର୍ଡ ନଂ ୫୭ ଅନ୍ତର୍ଗତ ପାଣ୍ଡବନଗରଠାରେ ଆଜି ୨.୫୮କୋଟି ଟଙ୍କାରେ ୧୦ ଲକ୍ଷ ଲିଟର ବିଶିଷ୍ଟ ଭୂ-ଉଚ୍ଚ ଜଳଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏଥିସହ ୧ କୋଟି ଟଙ୍କାରେ ୭ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ଜଳ ଭଣ୍ଡାରକୁ ମଧ୍ୟ ଉଦ୍ଘାଟନ କରିଛନ୍ତି।
ସେହିପରି ଚାରିଛକଠାରେ ୧୦ ଲକ୍ଷ ଟଙ୍କାରେ ଏକ ୱାଟର୍-କିଓସ୍କକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର୍ ସନ୍ତୋଷ ସିଂହ, ୱାଟ୍କୋ ମହାପ୍ରବନ୍ଧକ ଗୁରୁଚରଣ ଦାସ, ପ୍ରବନ୍ଧକ ଈଶ୍ୱର ଚନ୍ଦ୍ର ପ୍ରଧାନ, ଅଞ୍ଜନ ପଟ୍ଟନାୟକ ଏବଂ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।