ଭୁବନେଶ୍ବର : ରାତିରେ ବ୍ଲକିଂ, ଚେକିଂ ବେଳେ କ୍ୟୁଏଟି ଓ କ୍ୟାପିଟାଲ ଥାନା ପୁଲିସକୁ ସଫଳତା ମିଳିଛି। ଗତ ରାତିରେ ଶିଶୁ ଭବନ ଛକରେ ବ୍ଲକିଂ ଦେଖି ଖସି ପଳାଉଥିବା ବେଳେ ପୁଲିସ ଗୋଡ଼ାଇ ୩ଜଣଙ୍କୁ କାବୁ କରିଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଦେଶୀ ପିସ୍ତଲ, ତିନୋଟି ହାତ ତିଆରି ଗୁଳି, ଦୁଇଟି ବାଇକ୍ ଓ ଗୋଟିଏ ମୋବାଇଲ ଜବତ କରିଛି। ସେମାନେ ହେଉଛନ୍ତି ପୁରୁଣା ଭୁବନେଶ୍ବରର ସୁଜିତ ପଣ୍ଡା ଓରଫ ରୋମାନ୍ ମାଲିଆ, ଗୋସାଗରେଶ୍ବର ଛକର ସ୍ବରାଜ ବେହେରା ଓରଫ ହାପି, ବେହେରା ସାହିର ବିଶ୍ବଜିତ ବେହେରା ଓରଫ ବବ୍ଲୁ। ସେମାନେ କେଉଁଠି ଅପରାଧ ଘଟାଇବାକୁ ଯାଉଥିଲେ ତାହା ମାନିନାହାନ୍ତି। ସେମାନଙ୍କ ନାମରେ କେଉଁ ଥାନାରେ କି ଅଭିଯୋଗ ରହିଛି ତାହା ମଧ୍ୟ ଜଣା ପଡ଼ିନାହିଁ। ତେବେ ତଦନ୍ତ ଚାଲିଛି, କେଉଁ କେଉଁ ଅପରାଧରେ ସେମାନେ ସମ୍ପୃକ୍ତ ତାହା ଜଣାପଡ଼ିବ ବୋଲି କ୍ୟାପିଟାଲ ଥାନା ପୁଲିସ କହିଛି।
ଗତ ରାତିରେ ଏସ୍ଆଇ ଶଶିକାନ୍ତ ରାଉତଙ୍କ ନେତୃତ୍ବରେ ଶିଶୁଭବନ ଛକରେ ଚେକିଂ ଚାଲିଥିବା ବେଳେ ଏହି ଅଭିଯୁକ୍ତମାନେ ମାଉସୀ ମା’ ଛକଆଡୁ ଦୁଇଟି ବାଇକ୍ରେ ଆସିଥିଲେ। ଚେକିଂ ଦେଖି ଏୟାରପୋର୍ଟ ଛକ ଆଡକୁ ଦ୍ରୁତ ଗତିରେ ପଳାଇବା ବେଳେ କ୍ୟୁଏଟିର କର୍ମଚାରୀମାନେ ଗୋଡ଼ାଇ ଧରିଥିଲେ।