ଭୁବନେଶ୍ବର: ପେସାଦାର ଅପରାଧୀ ରାତିରେ ବାଇକ୍ ଧରି ଦ୍ରୁତଗତିରେ ବୁଲୁଥିଲେ। ଚେକ୍ପୋଷ୍ଟରେ ପୁଲିସ ଅଟକାଇବାରୁ ମାଡ଼ ମାରିଲେ, ଗୁଳି ଫୁଟାଇ ହତ୍ୟା କରିବାକୁ ଧମକ ଦେଲେ। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଆପାଚେ ବାଇକ୍(ଓଡି୦୨ବିଏଚ୍-୬୫୪୩), ମୋବାଇଲ ଫୋନ୍ ଜବତ କରିଛି। ଗିରଫ ତିନି ଜଣ ହେଲେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ତାରିଣୀ ମନ୍ଦିର ବସ୍ତିର ରଞ୍ଜିତ ସାମନ୍ତରାୟ ଓରଫ୍ ମଣ୍ଟୁ, ଈଶାନେଶ୍ବର ବସ୍ତିର ବିଭୂତି ପ୍ରଧାନ ଓ ଶିଖରଚଣ୍ଡୀ ବସ୍ତି ଅଞ୍ଚଳର ଶେଖ୍ ସଲମାନ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁସାରେ, ଗତକାଲି ରାତିରେ ବିଜୁ ପଟ୍ଟନାୟକ କଲେଜ ନିକଟରେ ବ୍ଲକିଂ ଚାଲିଥିଲା। ତିନି ଯୁବକ ଧଳା ରଙ୍ଗର ଆପାଚେ ବାଇକରେ ଦ୍ରୁତ ଗତିରେ ଜୟଦେବବିହାରରୁ ଏକାମ୍ର କାନନ ଅଭିମୁଖେ ଯାଉଥିଲେ। ବ୍ଲକିଂ ନିକଟରେ ଯେତେବେଳେ କନଷ୍ଚେବଳ ଏନ୍. କଅଁର ଅଟକାଇଲେ ସେତେବେଳେ ସେମାନେ ତାଙ୍କୁ ଧକ୍କା ମାରି ପଳାଇଲେ। ଲୁଟ୍, ଛିନତାଇ ଭଳି ମାମଲାକୁ ରୋକିବା ସହ ଅପରାଧୀଙ୍କୁ ଧରିବା ଲାଗି ଉଦ୍ଦିଷ୍ଟ ପିଓପିଡି(ପ୍ରପର୍ଟି ଅଫେନ୍ସ ପ୍ରପର୍ଟି ଡିଟେକ୍ସନ) ଟିମ୍ ସେମାନଙ୍କ ପିଛା କରିଥିଲା। ଏକାମ୍ର ଭିଲ୍ଲା ନିକଟରେ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ତିନି ଜଣଙ୍କ ଭିତରୁ ଜଣେ ପୁଲିସକୁ ବନ୍ଧୁକ ଦେଖାଇ ଧମକାଇଥିଲା। ପାଖକୁ ଆସିଲେ ଗୁଳି ଫୁଟାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। କିନ୍ତୁ ପୁଲିସ କୌଶଳକ୍ରମେ ତିନି ଜଣଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ମୋବାଇଲ ଫୋନ୍ ଓ ବାଇକ୍ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ନୂଆପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ତିନି ଜଣଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ସମେତ ବିଭିନ୍ନ ଥାନାରେ ୭ଟି ମାମଲା ରହିଥିବା ନୂଆପଲ୍ଲୀ ଥାନା ଅଧିକାରୀ ଶରତ ସାହୁ ସୂଚନା ଦେଇଛନ୍ତି। ତିନି ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି।
କେଉଁଠୁ ଆସୁଛି ବନ୍ଧୁକ?
ଅପରାଧୀଙ୍କ ହାତରେ ବନ୍ଧୁକ କେଉଁଠୁ ଆସୁଛି? କିଏ ଯୋଗାଉଛି ପୁଳା ପୁଳା ବନ୍ଧୁକ? ତାହାର ଖୋଳତାଡ଼ କରି ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରୁନି ପୁଲିସ। ଦେଶୀ ବନ୍ଧୁକ ରାଜଧାନୀ ଉପକଣ୍ଠରେ ତିଆରି ହେଉଥିବା ସନ୍ଦେହ କରାଯାଉଛି। କାରଣ ଗତ କିଛିମାସ ତଳେ ଚନ୍ଦକା ଅଞ୍ଚଳରୁ ଏକ ଚୋରା ବନ୍ଧୁକ ରାକେଟ ଏସଟିଏଫ୍ ହାତରେ ଧରାପଡ଼ିଥିଲେ। ବନ୍ଧୁକ ସ୍ଥାନୀୟ ଅଞ୍ଚଳରେ ତିଆରି ହେଉଥିବା ଜଣାପଡ଼ିଥିଲା। ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ଦେଶୀ ବନ୍ଧୁକ କାରଖାନା ରହିଛି। ସେଠାରୁ ବନ୍ଧୁକ ତିଆରି ହୋଇ ଆସୁଥିବା ଅନୁମାନ କରାଯାଉଛି। ପ୍ରାୟ ଦୁଇବର୍ଷ ତଳେ ୟୁନିଟ୍-୮ ଅଞ୍ଚଳରେ ସରକାରୀ କ୍ବାର୍ଟର୍ସରେ ଚାଲିଥିବା ଏକ ବନ୍ଧୁକ କାରଖାନାକୁ ଠାବ କରିଥିଲା ଖଣ୍ଡଗିରି ଥାନା ପୁଲିସ। ରାଜଧାନୀରେ ମଧ୍ୟ ଦେଶୀ ବନ୍ଧୁକ ତିଆରି କରାଯାଇ ଅପରାଧୀଙ୍କୁ ଯୋଗା ଯାଉଥିବା କୁହାଯାଉଛି।