କଟକ: ଜଗତ୍ସିଂହପୁର ରଘୁନାଥପୁର ଅଞ୍ଚଳର ଦୁର୍ଦାନ୍ତ ଡକାୟତ ହାତୀ କାଲିଆର ତିନି ସହଯୋଗୀଙ୍କୁ ଚାଉଳିଆଗଞ୍ଜ ପୁଲିସ ଗତିରାଉତପାଟଣାରୁ ଗିରଫ କରିଛି। କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ରଘୁନାଥପୁର ଅଞ୍ଚଳର ହାତୀ କାଲିଆ ତିନି ବର୍ଷ ହେବ ଆଠଗଡ଼, ଢେଙ୍କାନାଳ, ଅନୁଗୁଳ, ବଡ଼ମ୍ବା ଅଞ୍ଚଳରୁ ଟ୍ରକ୍ ଓ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କଠାରୁ ଡକାୟତି କରି ଆସୁଥିଲା।
ଗତ ବିଳମ୍ବିତ ରାତିରେ ଗତିରାଉତପାଟଣାର ଏକ ଭଙ୍ଗା ଘରେ କାଲିଆର ତିନି ସହଯୋଗୀ ନୂଆବାଜ଼ରର ଏକ ସୁନା ଦୋକାନରୁ ଡକାୟତି ଯୋଜନା କରୁଥିବା ଖବର ପାଇ ଚାଉଳିଆଗଞ୍ଜ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଥାନା ଏସ୍ଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ବାଡ୍ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ଚଢ଼ଉ କରି ଜଗତପୁର ନାନକାର ଗ୍ରାମର ପପୁନା ଓରଫ ଶମ୍ଭୁନାଥ ମିଶ୍ର (୩୪), ଟାଙ୍ଗୀର ରଞ୍ଜନ ସାମଲ(୨୪), ବିନୋଦ ମଲ୍ଲିକ ଓରଫ ବିନୁଆ(୨୨)କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଗୋଟିଏ ମାଉଜର୍, ଚାରିଟି ଗୁଳି, ଗୋଟିଏ କାର୍, ୨ଟି ବାଇକ୍ ଓ ଦୁଇଟି ମୋବାଇଲ୍ ଜବତ କରିଥିଲେ। ପପୁନା ନାମରେ କିଶନ ନଗର, ଜଗତପୁର, ଡେରାବିଶ, ପାଟକୁରା, କେନ୍ଦ୍ରାପଡ଼ା, ତିଗିରିଆ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରଞ୍ଜନ ସାମଲ ନାମରେ ଜଗତପୁର, ଚୌଦ୍ୱାର ଥାନାରେ ଦାଦାବଟି, ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ଭଳି ପ୍ରାୟ କୋଡ଼ିଏରୁ ଅଧିକ ଅଭିଯୋଗ ରହିଛି। ଏମାନେ ରାଜ୍ୟର ପ୍ରାୟ ପନ୍ଦରରୁ ଅଧିକ ଜିଲ୍ଲାରେ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ବେଳେ ଏମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଡିସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/fs8h7sf98h7s897sh98hsfsfh.jpg)