ଭୁବନେଶ୍ବର : ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୁଣା ଭୁବନେଶ୍ବର ହରଚଣ୍ଡୀସାହିର ଶଙ୍କର ବସ୍ତିଆ ଓ ତା’ର ଦୁଇ ସହଯୋଗୀ କପିଳ ପ୍ରସାଦର ଜଗଦୀଶ ଗଜେନ୍ଦ୍ର ଓ ସୁନ୍ଦରପଦାର ଜିତେନ୍ଦ୍ର ମଲ୍ଲିକ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ। ସେମାନଙ୍କୁ ପଚରାଉଚରା କରି ଫେରାର୍‌ ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପୁଲିସ ଯୋଜନା କରିଛି। ପୂର୍ବ ଶତ୍ରୁତା ଓ ଦୀପାବଳି ରାତିରେ ବାଣଫୁଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥିମକ ତଦନ୍ତରୁ ସୂଚନା ମିଳିଛି ବୋଲି ଡିସିପି ଅନୁପ ସାହୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଡିସିପି ଶ୍ରୀ ସାହୁ କହିଛନ୍ତି, ଅମରେଶ ଓ ଶଙ୍କର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଦୀପାବଳି ରାତିରେ ଅମରେଶ ଏକାମ୍ର କଲେଜ ନିକଟରେ ବାଣ ଫୁଟାଉଥିବା ବେଳେ ଚିଣ୍ଟୁ ନାମକ ଜଣେ ଯୁବକଙ୍କ ଦେହରେ ନିଆଁ ପଡ଼ିଥିଲା। ଚିଣ୍ଟୁ ଏହାର ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଚିଣ୍ଟୁ ଘଟଣା ସମ୍ପର୍କରେ ଶଙ୍କର ସମେତ ଅନ୍ୟମାନଙ୍କୁ ଜଣାଇଥିଲେ। ପରେ କିଛି ଯୁବକ ଅମରେଶଙ୍କ ନିକଟରେ ପହଞ୍ଚିଥିଲେ। ତେବେ ସେଠାରେ ଉଭୟଙ୍କ ମଧ୍ୟ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶଙ୍କରଙ୍କୁ ଫୋନ୍‌ ଯୋଗେ ଅମରେଶ ଗାଳିଗୁଲଜ କରିଥିଲେ। ଏହାପରେ ଶଙ୍କର, ଜଗଦୀଶ, ଜିତେନ୍ଦ୍ର ଓ ଅନ୍ୟ ସହଯୋଗୀମାନେ ଏକାମ୍ର କଲେଜ ନିକଟରେ ପହଞ୍ଚି ଅମରେଶଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅମରେଶ ଟଳି ପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ।

ହତ୍ୟାକାଣ୍ଡରେ ୧୨ ଜଣ ସଂପୃକ୍ତ
ଅମରେଶ ନାୟକ ହତ୍ୟାକାଣ୍ଡରେ ୨୦ ପାଖାପାଖି ଯୁବକ ସଂପୃକ୍ତ ବୋଲି ଅମରେଶଙ୍କ ସହଯୋଗୀମାନେ ଅଭିଯୋଗ କରି ଆସୁଥିଲେ। ହତ୍ୟାକାଣ୍ଡରେ ୧୨ ଜଣ ସଂପୃକ୍ତ ବୋଲି ଆଜି ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶଙ୍କର ମୁଖ୍ୟ ଅଭିଯୁକ୍ତ। ତା’ ନେତୃତ୍ବରେ ଅମରେଶଙ୍କୁ ହତ୍ୟା କରାଯାଇଥିଲା। ଏପରିକି ଅମରେଶ ଚେତା ହରାଇବା ପରେ ଶଙ୍କର ତାଙ୍କ ଉପରେ ବୁଲେଟ ଚଢ଼ାଇ ଦେଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିବା ଡିସିପି କହିଛନ୍ତି।

ପୂର୍ବତନ କର୍ପୋରେଟରଙ୍କ ସଂପୃକ୍ତି ଜଣାପଡ଼ିନାହିଁ
ଅମରେଶଙ୍କ ସହଯୋଗୀମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ, ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ କର୍ପୋରେଟର ମଣ୍ଟୁ ନନ୍ଦ। ଘଟଣାସ୍ଥଲରୁ କିଛି ଦୂରରେ ମଣ୍ଟୁ ଠିଆ ହୋଇଥିଲେ। ହତ୍ୟାକାଣ୍ଡ ପରେ ପରେ ଏୟାରଫିଲ୍ଡ ଥାନା ପୁଲିସ ମଣ୍ଟୁଙ୍କୁ ମଧ୍ୟ ଥାନାକୁ ଡକାଇ ରାତିସାରା ପଚରାଉଚରା କରିଥିଲା। ପରଦିନ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ଡିସିପି ଶ୍ରୀ ସାହୁ କହିଛନ୍ତି, ପୁଲିସ ତଦନ୍ତରେ ମଣ୍ଟୁଙ୍କ ସଂପୃକ୍ତ ଜଣାପଡ଼ିନାହିଁ। କିନ୍ତୁ ଏ ସମ୍ପର୍କରେ ତଦନ୍ତ ଚାଲିଛି।

ସାକ୍ଷୀମାନେ ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ
ଅମରେଶ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରୁଥିଲେ, ସେମାନଙ୍କୁ ଧମକ ଚମକ ମିଳୁଛି। ଅମରେଶଙ୍କ ଭଳି ସେମାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି କୁହାଯାଉଛି। କିନ୍ତୁ ଆଜି ଡିସିପି ଶ୍ରୀ ସାହୁ କହିଛନ୍ତି, ସାକ୍ଷୀମାନେ ଏନେଇ ଥାନାରେ ଅଭିଯୋଗ କରନ୍ତୁ। ପୁଲିସ ସେମାନଙ୍କ ସୁରକ୍ଷା ଯୋଗାଇ ଦେବ।

ରିମାଣ୍ଡରେ ଆସିବେ ଅଭିଯୁକ୍ତ
ଆଜି ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଶଙ୍କର ହେଉଛି ମୁଖ୍ୟ ଅଭିଯୁକ୍ତ। ତା’ ଇସା‌ରାରେ ଅନ୍ୟମାନେ ଅମରେଶଙ୍କୁ ହତ୍ୟା କରିବାକୁ ଏକଜୁଟ ହୋଇଥିଲେ। ତେଣୁ କିଏ କିଏ ସେହି ଦିନ ଶଙ୍କର ସହିତ ଘଟଣାସ୍ଥଳକୁ ଆସିଥିଲେ, ତାହା ପୁଲିସ ଜାଣିପାରିଲେ ସେମାନଙ୍କୁ ଗିରଫ କରାଯାଇପାରିବ। ତେଣୁ ଶଙ୍କର ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଫେରାର ଥିବା ଅଭିଯୁକ୍ତମାନଙ୍କ ସମ୍ପର୍କରେ ପଚରାଉଚରା କରାଯିବ।

ଏବେ ମହିଳା ଆଇନଜୀବୀ ମାମଲାକୁ ନେଇ ହେବ ଖୋଳତାଡ଼
ଅମରେଶ ନାୟକ ହତ୍ୟାକାଣ୍ଡ ପୂର୍ବରୁ କମିସନରେଟ ପୁଲିସ ପାଇଁ ଚିନ୍ତାର ବିଷୟ ଥିଲା ଧଉଳି ଥାନା ଅଧୀନ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ମୃତ୍ୟୁ ମାମଲା। ଘଟଣାର ତଦନ୍ତ ଭାର ସେତେବେଳେ ସ୍ପେସାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। କିନ୍ତୁ ଦୀପାବଳି ରାତିରେ ଅମରେଶଙ୍କୁ ହତ୍ୟା କରାଯିବା ପରେ ସ୍ପେସାଲ ସ୍କ୍ବାଡ୍ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ନେଇଥିଲା। ଶେଷରେ ସ୍ପେସାଲ ସ୍କ୍ବାଡକୁ ସଫଳତା ମଧ୍ୟ ମିଳିଥିଲା। ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ସ୍ପେସାଲ ସ୍କ୍ବାଡ ଗିରଫ କରିଛି। କିନ୍ତୁ ରହସ୍ୟମୟ ହୋଇ ରହି ଯାଇଛି ଦୀପାଳି ମାମଲା। ତେଣୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମଙ୍କୁ ଗିରଫ କରିବାକୁ ପୁଲିସ ପୁଣି ଥରେ ସକ୍ରିୟ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।