ବାର୍‌ରେ ଭଙ୍ଗାରୁଜା, ୩ ଗିରଫ

୩୭ଲକ୍ଷ ଠକେଇ, ଦମ୍ପତିଙ୍କ ନାମରେ ମାମଲା, ସ୍ବାମୀ ଗିରଫ, ଫେରାର ଅଭି‌ଯୁକ୍ତ ଗିରଫ

ଭୁବନେଶ୍ୱର : କର୍ଫ୍ୟୁ ରାତିରେ ଆତଙ୍କ ସୃଷ୍ଟି କରୁଛନ୍ତି ଦୁର୍ବୃତ୍ତ। ୟୁନିଟ୍‌-୮ ଅଞ୍ଚଳରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ବେଳେ ଲୁଟ୍‌ପାଟ୍‌ ଓ ଚୋରି ସୀମା ଲଂଘିଛି। ଏଭଳି ସ୍ଥିତିରେ ରାତିଅଧରେ ଏକ ବାର୍‌ରେ ପଶି ମଦ ମାଗିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ବାର୍‌ମାଲିକଙ୍କ ଅଭିଯୋଗ କ୍ରମେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ବାଙ୍କୁଆଳ ଅଞ୍ଚଳର ବିପିନ୍ ପ୍ରଧାନ, ଲୋକନାଥ ପାତ୍ର ଓ ବିଜୟକୃଷ୍ଣ ରାୟ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ପୁରୀ-ବାଇପାସ୍ ରୋଡ୍‌ରେ ରିଭର୍ ଭିୟୁ କମ୍ପ୍ଲେକ୍ସ ନାମକ ଏକ ବାର୍ ରହିଛି। ଗତ ୧୬ ତାରିଖ ସନ୍ଧ୍ୟା ୭ଟା ପରେ ଅଭିଯୁକ୍ତମାନେ ବାର୍‌ରେ ପଶି ମଦ ମାଗିଥିଲେ। ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଥିବାରୁ କର୍ମଚାରୀ ମଦ ଦେବାକୁ ମନା କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତମାନେ ବାର୍‌ରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ବାର୍ ମାଲିକ ସନ୍ତୋଷ ସାହୁ ପୁଲିସକୁ ଫୋନ୍ କରିବାରୁ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଛି।

୩୭ଲକ୍ଷ ଠକେଇ, ଦମ୍ପତିଙ୍କ ନାମରେ ମାମଲା, ସ୍ବାମୀ ଗିରଫ
ଭୁବନେଶ୍ବର : ଏକ ଦମ୍ପତି ଡିଲରଙ୍କ ସହ କୋଟି କୋଟି ଟଙ୍କାର ଟ୍ରାକ୍ଟର ବେପାର କରୁଥିଲେ। ହେଲେ ୩୭ଲକ୍ଷ ୭୯ ହଜାର ଟଙ୍କା ଠକିବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଥାନାରେ ମାମଲା ହେବା ପରେ ସ୍ବାମୀଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ହେଉଛି। ସମ୍ପୃକ୍ତି ପ୍ରମାଣିତ ହେଲେ ସେ ମଧ୍ୟ ଗିରଫ ହେବେ ବୋଲି ପୁଲିସ କହିଛି। ଗିରଫ ସ୍ବାମୀ ହେଉଛନ୍ତି ନିଆଳି ଅଳତଙ୍ଗ ଗ୍ରାମର ନିରାକାର ମହାନ୍ତି। ସ୍ତ୍ରୀ ହେଉଛନ୍ତି ଦିପ୍ତୀ ମହାନ୍ତି।

ସୂଚନା ମୁତାବକ, ନିରାକାର-ଦିପ୍ତୀ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ରେ ୨୦୧୭ ମସିହାରୁ ଏକ କାର୍ଯ୍ୟାଳୟ ଖୋଲିଥିଲେ। ଇନର୍‌ସର୍ଭିଆ ଇନୋଭେସନ ସଂସ୍ଥାର ପ୍ରୋପାଇଟର ଜଗତସିଂହପୁରର ଅମର ଅଗ୍ରୱାଲଙ୍କ ଠାରୁ ଟ୍ରାକ୍ଟର ନେଇ ବିକ୍ରି କରୁଥିଲେ। ୨୦୧୯ ମସିହା ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିବା ପରେ ନିରାକାରଙ୍କ ଉପରେ ୩୭ ଲକ୍ଷ ୭୯ ହଜାର ଟଙ୍କା ବାକି ପଡ଼ିଥିଲା। ଏହା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ନିରାକାରଙ୍କୁ ଗିରଫ କରିଛି। ତେବେ ଉଭୟ ଦମ୍ପତି କାହାକୁ ଟ୍ରାକ୍ଟର ଦେଉଥିଲେ, ଆଉ କାହାକୁ ଠକିଛନ୍ତି କି? ଏ ନେଇ ପୁଲିସ ଅଧିକ ଖୋଳତାଡ଼ କରୁଛି।

ଫେରାର ଅଭି‌ଯୁକ୍ତ ଗିରଫ
ଭୁବନେଶ୍ବର : ସାମାନ୍ୟ କଥାକୁ ନେଇ ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବା ଘଟଣାରେ ଫେରାର ଅଭିଯୁକ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଉଛି ବାଙ୍କୁଆଳ ଅଞ୍ଚଳର ନାରାୟଣ ସ୍ୱାଇଁ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୁଲିସ ପୂର୍ବରୁ ଜଣକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ରାଜୀବ ଲୋଚନ ଓଝା ନାମକ ଜଣେ ଯୁବକ ବାଙ୍କୁଆଳ ସାଇ ମନ୍ଦିର ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ଗତ ବର୍ଷ ନଭେମ୍ବର ମାସ ୬ ତାରିଖରେ ଅଭିଯୁକ୍ତ ନାରାୟଣ ଓ ତା’ର ସାଙ୍ଗ ଲିପୁ ଫାଷ୍ଟଫୁଡ୍ ଦୋକାନକୁ ଯାଇଥିଲେ। ଖାଇବାକୁ ନେଇ ଦୋକାନୀଙ୍କ ସହ ଝଗଡ଼ା ହୋଇଥିଲା। ଅଭିଯୁକ୍ତମାନେ ଦୋକାନ ଭଙ୍ଗାରୁଜା କରିବା ସହ ରାଜୀବଙ୍କୁ ମାଡ଼ ମାରି ଫେରାର ହୋଇ ଯାଇଥିଲେ। ରାଜୀବଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ପୁଲିସ ଲିପୁକୁ ଗିରଫ କରିଥିବାବେଳେ ନାରାୟଣ ଫେରାର ହୋଇ ଯାଇଥିଲା। ଦୀର୍ଘ ୭ମାସ ପାରେ ପୁଲିସ ନାରାୟଣକୁ ଗିରଫ କରିଛି। ନାରାୟଣ ନାମରେ ନାମରେ ପୂର୍ବରୁ ଅନେକ ମାମଲା ରହିଛି।

ସମ୍ବନ୍ଧିତ ଖବର