ଓଲା ଗାଡ଼ି ଚାଳକଙ୍କୁ ମାଡ଼, ୩ ଗିରଫ

ବାପା ବେକରେ ଖଣ୍ଡା ଲଗାଇ ପୁଅ ଗିରଫ

ପୁରୁଣା ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦର ଟାକ୍ସି ଷ୍ଟାଣ୍ଡରେ ଗଣ୍ଡଗୋଳ କରି ଆତଙ୍କ ଖେଳାଉଥିବା ଅଭିଯୋଗରେ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ବାବୁ ନାୟକ(୩୨), ଧଉଳି ଥାନା ନୂଆଗାଁର ପ୍ରଶାନ୍ତ ମହାପାତ୍ର(୪୨) ଓ ଏୟାରଫିଲଡ୍‌ ଥାନା ସୁନ୍ଦରପଦା ଅଭିରାମ ନଗର ବସ୍ତିର ସନ୍ତୋଷ ସାହୁ(୩୦)। ଏମାନେ ସମସ୍ତେ ଟାକ୍ସି ଚାଳକ। ଜଣେ ଓଲା ଗାଡ଼ି ଚାଳକଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ତିନି ଜଣ ଗତକାଲି ସନ୍ଧ୍ୟାରେ ଜଣେ ଓଲା ଡ୍ରାଇଭର ସମରଜିତ ମହାନ୍ତିଙ୍କୁ ମାଡ଼ ମାରିଥିଲେ। ସମର ଓଲା ଗାଡ଼ି ପାଇଁ ଚିହ୍ନଟ ହୋଇଥିବା ପାର୍କିଂସ୍ଥଳରେ ଗାଡ଼ି ରଖିଥିଲେ ବି ଏମାନେ ତାଙ୍କୁ ମାଡ଼ ମାରିଥିଲେ।

ବାପା ବେକରେ ଖଣ୍ଡା ଲଗାଇ ପୁଅ ଗିରଫ
ପୁରୁଣା ଭୁବନେଶ୍ୱର : ଗତକାଲି ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ପୁଅ ସମ୍ପତ୍ତି ଲୋଭରେ ବୃଦ୍ଧ ବାପାଙ୍କୁ ଗାଧୁଆ ଘରେ ୮ ଦିନ କାଳ ବନ୍ଦୀ କରି ରଖିଥିବା ଖବର ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ଉକ୍ତ ଖବରକୁ ନେଇ ଚର୍ଚ୍ଚା ଥମିନାହିଁ। କିନ୍ତୁ ଆଜି ପୁଣି ସେମିତି ଏକ ଘଟଣା ଘଟିଛି ଏୟାର୍‌ଫିଲ୍ଡ ଥାନା ଅଞ୍ଚଳରେ। ନିଶା ଖାଇବା ପାଇଁ ଟଙ୍କା ମାଗି ପୁଅ ବାପାଙ୍କ ବେକରେ ଖଣ୍ଡା ଲଗାଇଛି। ମଞ୍ଚେଶ୍ବର ଥାନା ମାମଲାରେ ବୃଦ୍ଧ ବାପା ପୁଅକୁ କ୍ଷମା କରି ଜରାଶ୍ରମକୁ ଚାଲି ଯାଇଥିବା ବେଳେ ଏୟାର୍‌ଫିଲ୍ଡ ମାମଲାରେ ପୁଅକୁ ପୁଲିସ ଗିରଫ କରିଛି।

ସୂଚନାନୁସାରେ ଦିବ୍ୟ ପ୍ରସାଦ ମହାନ୍ତି(୨୨) ଗତ କିଛି ଦିନ ହେଲା ବେଶ୍ ନିଶାସକ୍ତ ହୋଇପଡ଼ିଛି। ନିଶା ସେବନ ପାଇଁ ବାପାଙ୍କୁ ଟଙ୍କା ମାଗି ଗାଳିମନ୍ଦ କରୁଛି। ପୁଅର ଏଭଳି ନିର୍ଯାତନାକୁ ବାପା ପ୍ରଦୀପ କୁମାର ମହାନ୍ତି ସହି ଯାଉଥିଲେ। କିନ୍ତୁ ଆଜି ଦିବ୍ୟର ଉନ୍ମତ୍ତ କାଣ୍ଡ ସବୁ ସୀମା ଟପି ଯାଇଥିଲା। ସେ ବାପାଙ୍କୁ ମାଡ଼ ମାରିବା ସହ ବେକରେ ଖଣ୍ଡା ଲଗାଇ ହତ୍ୟା କରିବ ବୋଲି ଧମକ ଦେଇଥିଲା। କୌଣସିମତେ ବାପା ପ୍ରଦୀପ ତା କବଳରୁ ଖସି ବାହାରକୁ ପଳାଇ ଆସିଥିଲେ ଓ ସିଧା ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୁଲିସ ଦିବ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର