ଜଟଣୀ : ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଗିରଫ

ଜଟଣୀ : ଜଟଣୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଅଭିଯୋଗରେ ଜଟଣୀ ପୁଲିସ୍‌ ବିନା ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ବାଣ ବ୍ୟବସାୟର ହୋଲସେଲ ବଜାର ଭାବେ ଜଣାଶୁଣା ଜଟଣୀକୁ ବିଭିନ୍ନ ଅଂଚଳରୁ ବ୍ୟବସାୟୀ ଓ ଖାଉଟିମାନେ ବାଣ କିଣିବାକୁ ଆସିଥାନ୍ତି। ଏହି ସୁଯୋଗରେ କେତେକ ବ୍ୟବସାୟୀ ବିନା ଅନୁମତିରେ ବ୍ୟବସାୟ ଚଳାଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବିପଦପୂର୍ଣ୍ଣ ଏହି ବ୍ୟବସାୟକୁ ଖୁଲମଖୁଲା ଭାବେ ଚଳାଇଥିବା ଅଭିଯୋଗ ହେବା ପରେ ଜଟଣୀ ପୁଲିସ୍‌ ଅତର୍କିତ ଚଢ଼ଉ କରି ଜଟଣୀ ଥାନା ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବାଣ ବ୍ୟବସାୟ କରୁଥିବା ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ(୫୧) ଏବଂ ରେଲୱେ ଗୋଲେଇ ମାକେର୍ଟରେ ବ୍ୟବସାୟ କରୁଥିବା ଜଗନ୍ନାଥପୁର ଅଞ୍ଚଳର ବୈଷ୍ଣବ ଚରଣ ଦାସ (୭୩) ଓ ଡେଲାଙ୍ଗ ଥାନା ଘୋରଡିଆ ତେଲିସାହିର ଜିତେନ୍ଦ୍ର ସାହୁ (୩୨)ଙ୍କଠାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ‌ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର