କବାଡ଼ିଆ ଦୋକାନରୁ ଚୋରି ସାମଗ୍ରୀ ଜବତ, ୩ ଗିରଫ

ବାଲିଅନ୍ତା : ଏକ କବାଡ଼ିଆ ଦୋକାନରୁ ବିଭିନ୍ନ ସାମଗ୍ରୀ ଲୁଟ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ଦୁଇ କବାଡ଼ିଆ ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକସଦର ଥାନା ଅଧୀନ ଗବବସ୍ତ ଗ୍ରାମର ପ୍ରଦୀପ ସାମଲ, ଦୁଇ କବାଡ଼ିଆ ଦୋକାନୀ ଗୌରହରି ପ୍ରଧାନ ଓ ହରି ମଲ୍ଲିକ। ପ୍ରଦୀପଙ୍କ ଠାରୁ ମିଳିଥିବା ସୂଚନାକୁ ଭିତ୍ତିକରି ପାହାଳ ଫାଣ୍ଡି ପୁଲିସ ଗୌରହରି ଓ ହରିଙ୍କ ଦୋକାନରୁ ଲୁହାକଟା କଟର, ପାଣିପମ୍ପ, ବ୍ୟାଟେରି, ତମ୍ବା ଓ ଆଲୁମିନିୟମ ତାର ଜବତ କରିଥିଲା। ଦିଲ୍ଲୀପ କୁମାର ବାରିକ ନାମକ ଅନ୍ୟ ଜଣେ କବାଡ଼ିଆ ଦୋକାନୀ ପ୍ରଦୀପ ନାମରେ ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ପ୍ରଦୀପ ପଞ୍ଚବଟୀ ବଜାରରେ ଥିବା ଦିଲ୍ଲୀପଙ୍କ କବାଡ଼ିଆ ଦୋକାନରେ କାମ କରେ। ବିଳମ୍ବିତ ରାତିରେ ତାଙ୍କ ଦୋକାନରୁ ବିଭିନ୍ନ ସାମଗ୍ରୀ ଲୁଟିନେଇ ଉକ୍ତ ବଜାରରେ ଥିବା ଗୌରହରି ଓ ହରିଙ୍କ କବାଡ଼ିଆ ଦୋକାନରେ ବିକ୍ରି କରେ। ଗତ ୨୭ ତାରିଖ ରାତିରେ ପ୍ରଦୀପ ଦୋକାନରୁ ଏସବୁ ସାମଗ୍ରୀ ଚୋରି କରି ନେଉଥିବା ବେଳେ ସେଠାରେ ଜଗି ରହିଥିବା ଦିଲ୍ଲୀପ ତାଙ୍କୁ ଧରିଥିଲେ। ଏହାପରେ ପ୍ରଦୀପଙ୍କ ସୂଚନାକୁ ଭିତ୍ତିକରି ପୁଲିସ ‌ଉଭୟ ଗୌରହରି ଓ ହରିଙ୍କ ଦୋକାନରୁ ଚୋରିଯାଇଥିବା ଉପରୋକ୍ତ ସାମଗ୍ରୀ ଜବତ କରିଥିଲା।

ସମ୍ବନ୍ଧିତ ଖବର