ଚୋରି ଟ୍ୟାବ୍‌ରେ ଫିଲ୍ମ ଦେଖି ଧରାପଡ଼ିଲେ ୩ ଗିରଫ, ଗ୍ୟାସ୍‌ ସିଲିଣ୍ଡର ଜବତ

ଭୁବନେଶ୍ବର: ଟ୍ୟାବ୍‌ ଚୋରି କଲେ। ସେହି ଚୋରି ଟ୍ୟାବ୍‌ରେ ନୂଆ ସିମ୍‌ ପକାଇ ଫିଲ୍ମ ଦେଖିଲେ। ‌ଫିଲ୍ମ ୧୫ ମିନିଟ୍‌ ଚାଲିଛି କି ନାହିଁ ଘର ଦୁଆର ମୁହଁରେ ପହଞ୍ଚିଲା ପୁଲିସ। ବିନା କଥାବାର୍ତ୍ତାରେ ବାନ୍ଧିଲା। କାରଣ ଚୋରି ପର ଠାରୁ ଟ୍ୟାବ୍‌ର ଲୋକେସନକୁ ଟ୍ରାକ୍‌ କରୁଥିଲା ପୁଲିସ। ଆଜି ସକାଳେ ନୂଆପଲ୍ଲୀ ଥାନା ଅଞ୍ଚଳ‌ରେ ଏଭଳି ଘଟଣା ଘଟିଛି। ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ୩ଟି ଗ୍ୟାସ୍ ସିଲିଣ୍ଡର୍, ଗୋଟିଏ ସାମସଙ୍ଗ୍ ଟାବ୍‌ଲେଟ୍‌ ଓ ସୋନି ସ୍ପିକର୍ ଜବତ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ନୂଆପଲ୍ଲୀ ନୀଳକଣ୍ଠ ନଗର ମୁଣ୍ଡାସାହିର ସନ୍ତୋଷ ପ୍ରଧାନ, ଏସ୍‌କେ ଅବଦୁଲ୍ କଲାମ ଓ ପିଣ୍ଟନ ନାୟକ।

ପୁଲିସ ସୂଚନା ମୁତାବକ, ଗତ ବୁଧବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ପାଇକନଗରସ୍ଥିତ କାହ୍ନୁ ଚରଣ ନାୟକଙ୍କ ଘରୁ ଏମାନେ ତାଲାଭାଙ୍ଗି ପଶି ଉପରୋକ୍ତ ଜିନିଷ ଚୋରି କରିଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଚୋରଙ୍କ ପତ୍ତା ମିଳୁନଥିଲା। ହେଲେ ଚୋରି ସାମସଙ୍ଗ୍‌ ଟାବ୍‌ଲେଟ୍‌ର ଆଇଏମ୍‌ଇଆଇ ନମ୍ବରକୁ ଟ୍ରା‌କ୍‌ କରାଯାଉଥିଲା। ୪ ଦିନ ପରେ ଅର୍ଥାତ୍‌ ଆଜି ଏହି ଟାବ୍‌ଲେଟ୍‌‌ରେ ନୂଆ ସିମ୍‌ ପକାଇବା ସହ ଡାଟା ବ୍ୟବହାର କରି ଅନ୍‌ଲାଇନ୍‌ରେ ଫିଲ୍ମ ଦେଖୁଥିଲେ। ଲୋକେସନ ଜଣାପଡ଼ିବା ପରେ ପୁଲିସ୍ ସେମାନଙ୍କୁ ଧରିଥିଲା। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର