ଲୁଟ୍‌ ଓ ଛିନ୍‌ତାଇ ମାମଲାରେ ୩ ଗିରଫ

ଧଉଳି: ଲୁଟ୍‌ ଓ ଛିନ୍‌ତାଇ ମାମଲାରେ ଆଜି ଧଉଳି ଥାନା ପୁଲିସ ୩ ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଏୟାର୍‌ଫିଲ୍‌ଡ ଥାନା ସୁନ୍ଦରପଦା ଅଞ୍ଚଳର ଅମରେନ୍ଦ୍ର ତ୍ରିପାଠୀ(୨୬), ବଡ଼ଗଡ଼ ମଇଁଷିଖାଲ ବସ୍ତି ଅଞ୍ଚଳର ଡି ରାଜା ଓ ଜିତେନ୍ଦ୍ର ପ୍ରଧାନ। ଅମରେନ୍ଦ୍ର ଲୁଟ୍‌ ମାମଲାରେ ଏବଂ ରାଜା ଓ ଜିତେନ୍ଦ୍ର ଛିନ୍‌ତାଇ ମାମଲାରେ ଗିରଫ ହୋଇଛନ୍ତି। ପୁଲିସ ସୂଚନାନୁସାରେ ଗତକାଲି ଧଉଳି ଥାନା ଅଧୀନ ମାରୁତିନଗର ଅଞ୍ଚଳର ଟୁନା ସେଠୀଙ୍କ ଘରେ ପଶି ଅମରେନ୍ଦ୍ର ତାଙ୍କର ପର୍ସ ଲୁଟି ନେଇଥିଲା। ପର୍ସରେ ୧୨ ହଜାର ଟଙ୍କା ଥିଲା। ଅମରେନ୍ଦ୍ର ପଳାଉଥିବାବେଳେ ଟୁନା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଅମରେନ୍ଦ୍ରକୁ ଧରି ପକାଇଥିଲେ। ସେହିପରି ଗତକାଲି ରାତି ୧୦ଟାବେଳେ ଛିନ୍‌ତାଇ ଘଟଣାଟି ଘଟିଥିଲା ସ୍ଥାନୀୟ ଇନ୍ଦିରା କଲୋନିରେ।

ସଂଧ୍ୟାରାଣୀ ଗନ୍ତାୟତ ତାଙ୍କ ଝିଅ ସହ ମାର୍କେଟିଂ ସାରି ସ୍କୁଟିରେ ଯାଉଥିବା ବେଳେ ରାଜା ଓ ଜିତୁ ପିଛା କରି ତାଙ୍କ ସୁନା ହାର ଲୁଟି ନେବାକୁ ଉଦ୍ୟମ କରିଥିଲେ। ଜିତୁ ହାରଟିକୁ ଝାମ୍ପିବାକୁ ବସିଥିବା ବେଳେ ସନ୍ଧ୍ୟାରାଣୀ ତା’ ହାତକୁ ଜୋର୍‌ରେ ଟାଣି ଧରିବାରୁ ସେମାନେ ବାଇକ୍‌ରୁ ପଡ଼ି ଯାଇଥିଲେ। ସନ୍ଧ୍ୟାରାଣୀ ଓ ଝିଅ ସମାପିକା ମଧ୍ୟ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ମା’ ଝିଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଲୁଟେରାଦ୍ବୟକୁ ଘେରି ଯାଇଥିଲେ। ବାଇକ୍‌ ଛାଡ଼ି ଜିତୁ ଓ ରାଜା ପଳାଇବାକୁ ଚେଷ୍ଟା କରିଥିଲେ ବି ଲୋକେ ତାଙ୍କୁ ମାଡ଼ି ବସିଥିଲେ। ବହେ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର