ଜଟଣୀ: ଆଜି ଜଟଣୀ ଥାନା ପୁଲିସ ହରି ଭାଇନା ଛକ ବସ୍ଷ୍ଟାଣ୍ଡରେ ଚଢ଼ଉ କରି ଗଞ୍ଜେଇ ଚାଲାଣ କରୁଥିବା ଏକ କୁଖ୍ୟାତ୍ ୩ ଜଣିଆ ଗ୍ୟାଙ୍ଗ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗର ମୁଖିଆ ଜଟଣୀ ନୂଆଗାଁ ନଟିମଙ୍ଗଳା ସାହିର ତ୍ରିନାଥ ସାମଲ ଓରଫ ମିଟୁ (୪୦), ନୂଆଗାଁ ଗାନ୍ଧୀନଗରର ସୁନିଲ ବେହେରା ଓରଫ୍ ପଣ୍ଡା(୨୩) ଓ ମଧୁସୂଦନନଗରରେ ରହୁଥିବା ଡେଲାଙ୍ଗର କାର୍ତ୍ତିକ ପୃଷ୍ଟି ଓରଫ୍ କୁନି(୪୧)। ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୮୫ ହଜାର ଟଙ୍କା, ୨୨ କିଲୋ ଗଞ୍ଜେଇ, ୩ ମୋବାଇଲ୍ ଫୋନ୍ ଓ ଏକ ଅଟୋ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଦିଆଯାଇଛି। ଏହି ଗ୍ୟାଙ୍ଗ୍ କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ା ଆଦି ଅଞ୍ଚଳରୁ ଗଞ୍ଜେଇ ଆଣି ଜଟଣୀ, ଖୋର୍ଦ୍ଧା, ଡେଲାଙ୍ଗ, ବଳଙ୍ଗା ଓ ପିପିଲି ଆଦି ଅଞ୍ଚଳକୁ ଚାଲାଣ କରୁଥିବା ଜଣାପଡ଼ିଛି।
ଅଟୋରୁ ମିଳିଲା ୨୨ କିଲୋ ଗଞ୍ଜେଇ
୫.୮୫ ଲକ୍ଷ ଟଙ୍କା ଜବତ
ସୂଚନାନୁସାରେ ଏହି ୩ କୁଖ୍ୟାତ୍ ମାଫିଆଙ୍କୁ ଗିରଫ କରିବାକୁ ଗତ କିଛି ଦିନ ହେଲା ଜଟଣୀ ଥାନା ପୁଲିସ ଛକି ରହିଥିଲା। ଗ୍ୟାଙ୍ଗ୍ ମୁଖିଆ ମିଟୁ ଗତ କିଛି ଦିନ ହେଲା ଜେଲ୍ରୁ ମୁକୁଳି ପୁଣି ଏହି କାରବାର କରୁଥିବା ଜଣାପଡ଼ିବା ପରେ ଜଟଣୀ ଥାନା ପୁଲିସ ତା’ ଉପରେ ନଜର ରଖିଥିଲା। ଆଜି ଆଇଆଇସି ସୌମ୍ୟକାନ୍ତ ବଳିଆରସିଂହ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏକ ସ୍ପେସାଲ ଟିମ୍କୁ ହରିଭାଇନା ଛକକୁ ପଠାଇଥିଲେ। ସାଦା ପୋଷାକରେ ଥିବା ପୁଲିସ ଟିମ୍ ଉକ୍ତ ଛକସ୍ଥିତ ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚି ଅଟୋରେ ବସିଥିବା ୩ ମାଫିଆଙ୍କୁ କାବୁ କରିଥିଲେ। ଅଟୋ ସହ ସେମାନଙ୍କୁ ଥାନାକୁ ନେଇ ଯାଞ୍ଚ କରାଯିବା ପରେ ଗଞ୍ଜେଇ ବସ୍ତା ମିଳିଥିଲା। ଜବତ ହୋଇଥିବା ନଗଦ ୫.୮୫ ଲକ୍ଷ ଟଙ୍କା ସେମାନେ ଗଞ୍ଜେଇ ବିକ୍ରିରୁ ରଖିଥିବା ଜଣାପଡ଼ିଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/44-11.jpg)