ଭୁବନେଶ୍ୱର : କାର୍ଯ୍ୟରେ ଯୋଗ ଦେବାର ୧୦ ଦିନରେ ସଂକ୍ରମିତ ହେଲେଣି ୩ ଆୟୁଷ ଡାକ୍ତର

ଆଉ ୫ ଡାକ୍ତରଙ୍କ ଶରୀରରେ କୋଭିଡ୍‌ ଲକ୍ଷଣ, ରାଜଧାନୀରେ ଡାକ୍ତରଙ୍କ ରହଣୀକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ରାଜଧାନୀରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି। ମାତ୍ର କାର୍ଯ୍ୟରେ ଯୋଗ ଦେବାର ୧୦ ଦିନ ଭିତରେ ଏ ପର୍ଯ୍ୟନ୍ତ ୩ଜଣ ମେଡିକାଲ ଅଫିସର୍‌ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଉପଯୁକ୍ତ ସୁବିଧା ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଏମ୍‌ସି କମିସନର୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି।

ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ୩ଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟର୍‌କୁ ସ୍ଥାନାନ୍ତର କରାଯାଇଛି। ତହିଁରେ ଜଣେ ଗର୍ଭବତୀ ମହିଳା ଡାକ୍ତର ରହିଛନ୍ତି। ଅପରପକ୍ଷରେ ଆଉ ୫ଜଣ ଡାକ୍ତରଙ୍କ କୋଭିଡ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏସବୁ ଡାକ୍ତରଙ୍କ ଶରୀରରେ କୋଭିଡ୍‌ର ସମସ୍ତ ଲକ୍ଷଣ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେଣୁ ଡାକ୍ତରମାନଙ୍କୁ ରହଣୀ ପାଇଁ ଦିଆଯାଇଥିବା ହଷ୍ଟେଲରେ ଥିବା ଅନ୍ୟ ଡାକ୍ତରମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ଭୁବନେଶ୍ବର‌ରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର, କଟକ, ଭଦ୍ରକ, ଖୋର୍ଧା, ପୁରୀ, ବାଲେଶ୍ବର, ବାରିପଦା ଓ କେନ୍ଦୁଝରରୁ ୧୦୦ଜଣ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ମେଡିକାଲ ଅଧିକାରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା। ସଂପୃକ୍ତ ଡାକ୍ତରମାନେ ମନିଟରିଂ ସେଲ୍‌ ୧୯୨୯ ଟୋଲ ଫ୍ରି, କୋଭିଡ୍‌ କେୟାର, ଆରଆରଟି ଓ ମ୍ୟୁନସିପାଲିଟିରେ ନିୟୋଜିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ଡାକ୍ତରଙ୍କୁ ପୂର୍ବରୁ ଏକ ଇଞ୍ଜିନିୟରିଂ କଲେଜରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟର ବା ସିସିସ‌ି‌‌ରେ ରଖାଯାଇଛି। ତେବେ ସଂପୃକ୍ତ ହଷ୍ଟେଲରେ ସମସ୍ତଙ୍କ ପାଇଁ ସାର୍ବଜନୀନ ଶୌଚାଳୟ ସୁବିଧା ରହିଛି। ନିୟମିତ ବ୍ୟବଧାନରେ ଲାଟ୍ରିନ୍‌ ଓ ବାଥରୁମ୍‌କୁ ଫ୍ୟୁମିଗେଟ୍‌ କରାଯାଉନାହିଁ। ଏପରିକି ସଂପୃକ୍ତ ହଷ୍ଟେଲରେ ଏ ପର୍ଯ୍ୟନ୍ତ ୨ଜଣ ସଂକ୍ରମିତ ହୋଇ ସାରିଛନ୍ତି। ଅନ୍ୟ ଡାକ୍ତରଙ୍କ ଶରୀରରେ କୋଭିଡ୍‌ର ଲକ୍ଷଣ ଦେଖାଗଲାଣି। ଏଭଳି ପରିସ୍ଥିତିରେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଉପଯୁକ୍ତ ପୃଥକବାସ ବା ଆଇସୋଲେସନ୍‌ ସୁବିଧା ଯୋଗାଇ ଦେବାକୁ ଜଣେ ଡାକ୍ତର ବିଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅପରପକ୍ଷରେ ଆଜି ଜଣେ ଆୟୁଷ ଡାକ୍ତରଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଡାକ୍ତରଜଣକ ପୂର୍ବରୁ ନୂଆପଡ଼ାରେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଗଞ୍ଜାମ ଓ ପରବର୍ତୀ ସମୟରେ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ‌ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସଂପୃକ୍ତ ଡାକ୍ତରଜଣକ କରେନା କିମ୍ବା ଅଣ କରୋନାରେ ପ୍ରାଣ ହରାଇଛନ୍ତି, ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ହିଁ ସ୍ପଷ୍ଟ ହୋଇପାରିବ। ରାଜ୍ୟ ସରକାର ଡାକ୍ତରମାନଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏହା ସତ୍ତ୍ବେ ମୃତ୍ୟୁ ପରେ ସଂପୃକ୍ତ ଡାକ୍ତରଙ୍କୁ ଉପଯୁକ୍ତ ସମ୍ମାନ ଦିଆ ନ ଯିବାକୁ ନେଇ ଆୟୁଷ ଡାକ୍ତରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର