୩ ଜାମିନବିହୀନ ପରୱାନା ଥାଇ ବି ବାନ୍ଧୁନି ପୁଲିସ: ଚାକିରି, ପୁଞ୍ଜିନିବେଶ ନାଁରେ ୧୦ ‌କୋଟିରୁ ଊର୍ଧ୍ବ ଠ‌କେଇ

ଲୁମେକ୍ସ ରିସୋର୍ସେସ୍‌ ଠକେଇ

ଭୁବନେଶ୍ବର: ଏକାଧିକ ଜାଲ୍‌ ୱେବ୍‌ସାଇଟ୍‌ ଖୋଲି ଚାକିରି ଓ ପୁଞ୍ଜି ନିବେଶରୁ ଲାଭର ଲୋଭ ଦେଖାଇ ଜମାକାରୀ ଓ ଆଶାୟୀଙ୍କଠାରୁ ୧୦କୋଟି ଟଙ୍କା ଠକି ନେବା ମାମଲାର ଅଭିଯୁକ୍ତ ଲୁମେକ୍ସ ରିସୋର୍ସେସ୍‌ର ଅନ୍ୟତମ ମୁଖ୍ୟ ସୋନିଆ ତ୍ରିପାଠୀଙ୍କୁ ନେଇ ରହସ୍ୟ ଜାରି ରହିଛି। ପୂର୍ବରୁ ଦୁଇଟି ଚେକ୍‌ ବାଉନ୍ସ ମାମଲା ଓ ଆଗୁଆ ଜାମିନ ପାଇଁ ଜାଲ୍‌ ମେଡିକାଲ୍‌ ସାର୍ଟିଫିକେଟ୍‌ ଦେବା ଭଳି ତିନି ତିନିଟି ସାଂଘାତିକ ମାମଲାରେ ତାଙ୍କ ବିରୋଧରେ ଜାମିନବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ଗିରଫ ପାଇଁ ଅଦାଲତ ମଧ୍ୟ ନିର୍ଦେଶ ଦେଇଛନ୍ତି। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଉନାହିଁ। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ଅଭିଯୋଗକାରୀ କହିଛନ୍ତି, ୱାରେଣ୍ଟ ପରେ ତାଙ୍କୁ ଗିରଫ କରାନଯିବାରୁ ସେ ବାରମ୍ବାର ଇନ୍‌ଫୋସିଟି ଥାନାକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ପୁଲିସଠାରୁ ଉତ୍ତର ମିଳିଥିଲା- ସୋନିଆ ଯେଉଁ ଠିକଣା ଦେଇଛନ୍ତି, ସେ ଠିକଣାରେ ସେ ରହୁ ନାହାନ୍ତି। ଅପରାଧ ଘଟାଇଥିବା ଜଣେ ବ୍ୟକ୍ତି ସେ ଦେଇଥିବା ଠିକଣାରେ ରହୁନଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ ଧରଣର ବିଚିତ୍ର ସଫେଇ ପୁଲିସଠାରୁ ଆଶା ତ କରା ଯାଏନାହିଁ, ଏହା ଉପରକୁ ସୋନିଆ ଭୁବନେଶ୍ବରରେ ହିଁ ଅଛନ୍ତି ବୋଲି ଉକ୍ତ ଅଭିଯୋଗକାରୀ ଦାବି କରିଛନ୍ତି। ପୁଲିସ କାହିଁକି ତାଙ୍କୁ ଖୋଲା ଛାଡ଼ିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନା ମୁତାବକ, ଗତ ୨୦୧୯ ମସିହାରେ ରାଜୀବ ଲୋଚନ ଦାସ ଓ ତା’ର ସହଯୋଗୀ ଡିଏଲ୍‌ଏଫ୍ ସାଇବର ସିଟିରେ ଲୁମେକ୍ସ ରିସର୍ଟ ପ୍ରାଇ‌ଭେଟ୍ ଲିମିଟେଡ୍‌ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ। ବିଭିନ୍ନ ବିଦେଶୀ ସଂସ୍ଥାର ଜାଲ୍‌ ୱେବ୍‌ସାଇଟ୍‌ ଖୋଲି ଅଧିକ ଲାଭର ଲୋଭ ଦେଖାଇ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇବା, ଚୀନ୍‌କୁ କ୍ରୋମ୍‌ ରପ୍ତାନି କରିବା, ଓଡ଼ିଶାରେ ଥିବା କେତେକ ବହୁରାଷ୍ଟ୍ରୀୟ କାର୍ଯ୍ୟାଳୟରେ ନିଯୁକ୍ତି ଦେବା ଭଳି ଲୋଭନୀୟ ପ୍ରତିଶ୍ରୁତି ଜରିଆରେ ଉକ୍ତ ସଂସ୍ଥା ଲୋକଙ୍କୁ ଠକି ଆସୁଥିଲା। ଏମିତି ଉପାୟରେ ସଂସ୍ଥା ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲା। ଏ ସଂପର୍କରେ ଜମାକାରୀ ପ୍ରଥମେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପରେ ନିଶାରାଣୀ ମହାପାତ୍ର ନାମକ ଜଣେ ଜମାକାରୀ କୋର୍ଟର ଦ୍ବାରସ୍ଥ ହେବାରୁ ସଂସ୍ଥାର ମୁଖ୍ୟ ରାଜୀବ ଲୋଚନ ଦାସ, ପତ୍ନୀ ସୋନିଆ ତ୍ରିପାଠୀ, ହିମାଂଶୁ ଶେଖର ପାଣିଗ୍ରାହୀ, ବିମଳ କିଶୋର ପାଢ଼ୀ ଓ ଉଷାରାଣୀ ପାଣିଗ୍ରାହୀ ପ୍ରମୁଖଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶର ୫ମାସ ପରେ ବି ପୁଲିସ ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିପାରି ନଥିଲା। ତେଣୁ ନିଶାରାଣୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲ୍ୟୁ କେସ୍‌ ନଂ-୧୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ୨୦୨୩ ମସିହା ମେ’ ୨ ତାରିଖରେ ଇଓଡବ୍ଲ୍ୟୁ ରାଜୀବ ଲୋଚନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ତା’ପରେ ଆଉ କୌଣସି ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର