ଭୁବନେଶ୍ବର: ଆଜି ଖଣ୍ଡଗିରିରେ ୩ଜଣ ଭଣ୍ଡବାବାଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ହରିୟାଣାରୁ ଆସିଥିବା ଏହି ୩ ଭଣ୍ଡବାବା ରାଜପଥ ପଡ଼ରେ ଲୋକଙ୍କୁ ଠକୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥଇଲେ। ମୁଣ୍ଡରେ ନକଲି ଜଟ ଲଗାଇଥିବା ଏହି ୩ଜଣଙ୍କ ମୁହଁରୁ ପଦୁଟିଏ ବି ଶୁଦ୍ଧ ମନ୍ତ୍ର ବାହାରୁନଥିଲା। ଲୋକମାନେ ତାଙ୍କ ଭାଣ୍ଡାମୀ ଦେଖିବା ପରେ ଏଣୁତେଣୁ ପଚାରି ସେମାନଙ୍କୁ କିଲିବିଲି କରିପକାଇଥିଲେ। ପାଟିତୁଣ୍ଡ ଶୁଣି ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଲୋକଙ୍କ କବଳରୁ ମୁକୁଳାଇ ଥାନାକୁ ନେଇଥିଲା। କିନ୍ତୁ ଥାନାରେ ବି ସେମାନଙ୍କ ଲୀଳା ବେଶ୍ ରୋଚକଦୃଶ୍ୟ ସୃଷ୍ଟି କରିଥିଲା। ଅଭିଶାପ ଦେଇ ସେମାନେ ପୁଲିସକୁ ଭସ୍ମ କରିଦେବେ ବୋଲି ଧମକ ଦେଇଥିଲେ। ରାଗରେ ଏକ ପାଞ୍ଚଶହ ଟଙ୍କିଆ ନୋଟ୍କୁ ଫାଡ଼ି ଦେଇଥିଲେ। ଶେଷରେ ପୁଲିସ ସେମାନଙ୍କୁ ତାଗିଦ କରି ଛାଡ଼ିଦେଇଥିଲା।
ଆଜି ପୂର୍ବାହ୍ଣରେ ଖଣ୍ଡଗିରିରେ ଏହି ୩ ବାବା ନିଜକୁ ନାଗାସାଧୁ ବୋଲି ପରିଚୟ ଦେଇ ଭିକ୍ଷାବୃତ୍ତି କରୁଥିଲେ। କମଣ୍ଡଳୁରେ ଟଙ୍କା ରଖି ଅନ୍ୟମାନଙ୍କୁ ଦେଖାଉଥିଲେ ଏବଂ ୧୦୦, ୨୦୦ ଓ ୫୦୦ ଟଙ୍କା ମାଗୁଥିଲେ। ସେମାନେ ହରିୟାଣରୁ ଆସିଛନ୍ତି ଏବଂ ପୁରୀ ଯାଉଛନ୍ତି ବୋଲି କହିଥିଲେ। କେହି ସେମାନଙ୍କୁ ଟଙ୍କା ନଦେଲେ, ଗାଳିମନ୍ଦ କରିବା ସହ ଅଭିଶାପ ଦେଉଥିଲେ। ଏହାଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଲୋକମାନେ ସେମାନଙ୍କୁ ଘେରି ଗାୟତ୍ରୀ ମନ୍ତ୍ର ବୋଲିବାକୁ କହିଥିଲେ। କିନ୍ତୁ ସେମାନେ ପଦୁଟିଏ ବି ଠିକ୍ରେ ଗାଇପାରିନଥିଲେ। ଗାୟତ୍ରୀ ମନ୍ତ୍ର କ’ଣ କୌଣସି ମନ୍ତ୍ର ବି ସେମାନଙ୍କୁ ଜଣାନଥିଲା। ସେହିଭଳି ସେମାନେ ଚାରିଧାମରୁ ଗୋଟିଏ ବି ଧାମର ନାଁ କହିପାରିନଥିଲେ। ବରଂ ବାଗେଶ୍ବର ଧାମ କଥା କହିଥିଲେ। ଏହା ଶୁଣିବା ପରେ ଯୁବକମାନେ ତାଙ୍କ ସହ ଥଟ୍ଟାମଜା କରିଥିଲେ। ତେଣୁ ସେମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲୋକମାନେ ସେମାନଙ୍କୁ ଯିବାକୁ ଦେଲେ ନାହିଁ।
କିଛି ଯୁବକ ସେମାନଙ୍କୁ ଏଣୁତେଣୁ ପଚାରି ଚିଡ଼ାଇଥିଲେ। ରାଗିଯାଇ ସେମାନେ ଅଭିଶାପ ଦେଇଥିଲେ। କମଣ୍ଡଳୁରୁ ପାଣି ଛାଟିଥିଲେ। ଏତିକିବେଳେ ଜଣେ ଯୁବକ ରାଗରେ ଜଣେ ବାବାଙ୍କ ଜଟ ଧରି ଟାଣିଦେଇଥିଲା। ଏତିକିବେଳେ ଆଉ ଏକ ରୋଚକ କଥା ଘଟିଲା। ବାବାଙ୍କ ମୁଣ୍ଡରୁ ଜଟ ବାହାରିଆସିଥିଲା। ଜଣାପଡ଼ିଲା ଯେ ବାବାଙ୍କ ମୁଣ୍ଡରେ ନକଲି ଜଟ ଲାଗିଥିଲା। ଏହାଦେଖି ଅନ୍ୟ ବାବାଦ୍ବୟ ମୁଣ୍ଡକୁ ଜାବୁଡ଼ି ଧରି ବସିରହିଲେ। ପାଟିତୁଣ୍ଡ ଶୁଣି ପୁଲିସ ପହଞ୍ଚିଥିଲା ଏବଂ ସେମାନଙ୍କୁ ଥାନାକୁ ନେଇଯାଇଥିଲା। ଥାନାକୁ ଯିବା ପରେ ବାବାମାନଙ୍କ ତାଣ୍ଡବ ଆରମ୍ଭ ହୋଇଯାଇଥିଲା। ଲୋକଙ୍କ ଭିତରେ ଭୟଭୀତ ଅବସ୍ଥାରେ ଥିବା ଭଣ୍ଡ ତିନିଜଣ ପୁଲିସକୁ ଦେଖି ଅଧିକ ଉତ୍ପାତ କରିଥିଲେ। କମଣ୍ଡଳୁରୁ ଗୋଟିଏ ୫୦୦ ଟଙ୍କିଆ ବାହାର କରି ଚିରି ଦେଇଥିଲେ। ଗିରଫ ନକରି ଛାଡ଼ିଦେବାକୁ ଧମକ ଦେଇ ପୁଲିସକୁ ଅଭିଶାପ ଦେବେ ବୋଲି କହିଥିଲେ। ଶେଷରେ ପୁଲିସ ସେମାନଙ୍କ ଠିକଣା ରଖିବା ସହ ତାଗିଦ କରି ଛାଡ଼ିଥିଲା ଏବଂ ତୁରନ୍ତ ଖଣ୍ଡଗିରି ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲା।