ବାଇକ୍‌ ଲୁଟେରା ଗ୍ୟାଙ୍ଗର ୩ ଗିରଫ, ୭ ବାଇକ୍‌ ଜବତ

ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚାବି ଭାଙ୍ଗି ବାଇକ୍ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗ୍‌ର ୩ ଜଣ ସଦସ୍ୟଙ୍କୁ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରାମାନେ ହେଲେ ନୟାଗଡ଼ ଇଟାମାଟି ଲଥିପଡ଼ା ନାଗପୁର ଗ୍ରାମର କ୍ରିଷ୍ଣା ଦାସ(୩୧), ଗଜପତି ସିକୁଲିପଡ଼ା ମୋହନା ନୂଆସାହି କୋଲାଙ୍ଗି ଗ୍ରାମର ବାପି ପ୍ରଧାନ(୨୧) ଓ ଗଜପତି ମହେନ୍ଦ୍ରଗଡ଼ ମୋହନା ଲବରସିଂ ଗ୍ରାମର ଅକ୍ଷୟ କୁମାର ପ୍ରଧାନ(୨୩)। ପୁଲିସ ସେମାନଙ୍କଠାରୁ ୭ଟି ଚୋରା ବାଇକ୍ (ଓଡି୦୫ଏଡି-୦୩୯୩, ଓଡି୨୯-୨୮୪୪, ଓଡି ୩୩ଇ-୩୨୫୨, ଓଡି୦୨ଏଏକ୍ସ୍-୬୧୦୫, ଓଡି୦୨ୱାଇ-୯୧୮୩, ଓଡି୩୩କେ-୫୮୪୪, ଓଡି୩୩-୫୨୬୭ ଜବତ କରିଛି।

ଘଟଣା ଅନୁଯାୟୀ ଗତ ମାର୍ଚ୍ଚ ୨୬ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ କୁହୁଡ଼ି ଗ୍ରାମର ସମୀର ନାୟକ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ କିମ୍‌ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣି ଆସିଥିବା ବ‌େଳେ ପାର୍କିଂରୁ ତାଙ୍କ ବାଇକ୍ ଚୋରି ହୋଇଯାଇଥିଲା। ଏନେଇ ସେ ଇନ୍‌ଫୋସିଟି ଥାନାରେ‌ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସେଥିରୁ ଲୁଟେରାମାନଙ୍କୁ ଚିହ୍ନଟ କରି ଧରିବାକୁ ଯୋଜନା କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, କନ୍ଧମାଳ ଅଞ୍ଚଳର କିଛି ଯୁବକ ଆସି ରାଜଧାନୀର ବିଭିନ୍ନ ସ୍ଥାନରୁ ବାଇକ୍ ଲୁଟକରି ନେଇଯାଉଥିଲେ। ସେମାନେ ମୋହନା, ଜି. ଉଦୟଗିରି, ଗଜପତି ଓ କନ୍ଧମାଳ ଅଞ୍ଚଳରେ ଥିବା କିଛି ଗ୍ୟାରେଜ୍‌ରେ ବାଇକ୍‌ଗୁଡ଼ିକୁ କମ୍ ମୂଲ୍ୟରେ ବିକ୍ରି କରି ଦେଉଥିଲେ। ଏହି ଗ୍ୟାଙ୍ଗ୍‌ର ମାଷ୍ଟର୍ ମାଇଣ୍ଡ୍ କ୍ରିଷ୍ଣା ଦାସ ଗତ ଦୁଇ ବର୍ଷ ହେବ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ବ‌େଳେ ପୂର୍ବରୁ ତା’ ନାମରେ ଇନ୍‌ଫୋସିଟି, କ୍ୟାପିଟାଲ୍ ଥାନାରେ ପୃଥକ ପୃଥକ ୩ଟି ଅଭିଯୋଗ ରହିଥିବା ବେଳେ ଇଟାମାଟି ଥାନାରେ ଗୋଟିଏ ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର