ଚନ୍ଦ୍ରଶେଖରପୁର: ବେକାର ଯୁବକ/ଯୁବତୀଙ୍କୁ ନାଲକୋ, ମିସନ୍ ଶକ୍ତି, ରେଲୱେ, ଘରୋଇ ବ୍ୟାଙ୍କ ଓ ବିଦ୍ୟୁତ୍ ବିଭାଗରେ ଚାକିରି କରାଇ ଦେବାର ଲୋଭ ଦେଖାଇ ପାଖାପାଖି ୧୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଠାବ କରିଛି। ଗ୍ୟାଙ୍ଗର ୩ ଦଲାଲଙ୍କୁ ପୁଲିସ୍ ଗତକାଲି ଗିରଫ କରିଛି। ସେମାନେ ହେଲେ, ବିଶ୍ବରଂଜନ ତ୍ରିପାଠୀ(୨୬), ବଦ୍ରିନାରାୟଣ ବେହେରା (୩୧) ଓ ଅନିଲ କୁମାର ଜେନା (୨୧)। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଅରୁଣ କୁମାର ମହାନ୍ତି ନାମକ ଜଣେ ଯୁବକଙ୍କୁ ମିସନ୍ ଶକ୍ତି ଯୋଜନାରେ ଚାକିରି କରାଇଦେବାର ଲୋଭ ଦେଖାଇଥିଲା ବିଶ୍ବରଂଜନ। ଏଥିପାଇଁ ପର୍ଯ୍ୟାୟକ୍ରମେ ତାଙ୍କଠାରୁ ୫୦ ହଜାର ଟଙ୍କା ଠକି ନେଇଥିଲା। କିନ୍ତୁ ଟଙ୍କା ନେବାର ଦୀର୍ଘ ଦିନ ପରେ ମଧ୍ୟ ଚାକିରି ନ ମିଳିବାରୁ ଅରୁଣ ବିଳମ୍ବର କାରଣ ପଚାରିଥିଲେ। ଧରାପଡ଼ିଯିବା ଭୟରେ ବଦ୍ରି ସହ ମିଶି ବିଶ୍ବରଂଜନ ଏକ ନକଲି ନିଯୁକ୍ତିପତ୍ର ଅରୁଣଙ୍କୁ ଇ-ମେଲ୍ କରିଥିଲା। ଅରୁଣ ଉକ୍ତ ନିଯୁକ୍ତିପତ୍ର ନେଇ ଚାକିରି କରିବାକୁ ଯିବାରୁ ତାହା ଜାଲ ବୋଲି ଜାଣିବାକୁ ପାଇଥିଲେ। ତେଣୁ ସେ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଏହା ପଛରେ ଏକ ଗ୍ୟାଙ୍ଗର ହାତ ରହିଛି। ତେଣୁ ପୁଲିସ ସମସ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ପୁଲିସ୍ ମୋବାଇଲ୍ ଟ୍ରାକ୍ କରି ପୁରୀ ଜିଲ୍ଲା ଗୋପରୁ ବିଶ୍ବରଂଜନ ଓ ଅନିଲକୁ ଗିରଫ କରିଥିଲା। ପରେ ସେମାନଙ୍କୁ ପଚରାଉଚରା କରି ବଦ୍ରିକୁ ଧରିଥିଲା।
ଚାକିରି କରାଇଦେବା ଆଳରେ ଠକେଇ, ୩ ଦଲାଲ ଗିରଫ
/sambad/media/post_attachments/wp-content/uploads/2021/06/fraud_061318044911.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)