୩ ଲୁଟେରା ଗିରଫ: ଚେନ୍‌, ବାଇକ୍‌ ଜବତ

ଭୁବନେଶ୍ୱର : ଲୁଟେରା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛନ୍ତି। ଚଳନ୍ତା ଗାଡ଼ିରେ ଥିବା ମହିଳାଙ୍କ ବେକରୁ ଚେନ୍‌ ଝାମ୍ପି ନେଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ବାହାରକୁ ବାହାରିଲେ ମହିଳାମାନେ ଛିନ୍‌ତାଇକୁ ନେଇ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନେକ ମାମଲାରେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ କ୍ୟାପିଟାଲ ଥାନା ପୁଲିସକୁ ଏକ ସଫଳତା ମିଳିଛି। ୩ଲୁଟେରାଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ଲୁଟ୍‌ ଚେନ୍‌ ଓ ବାଇକ୍‌ ଜବତ କରିଛି। ସ‌ମସ୍ତେ ଖୋର୍ଦ୍ଧା ଟାଉନ ଥାନା ଅଧୀନର ବୋଲି ଜଣାପଡ଼ିଛି। ସେମାନେ ହେଲେ, ସାନ୍ତରାପୁରର ସ୍ବାଗତ ପଟ୍ଟନାୟକ, ଶାଗୁଆନ ବଗିଚାର ଦେବାଶିଷ ସ୍ବାଇଁ ଓ ଉପରସାହିର ତପନ ରାଉତରାୟ। ଜବତ ହୋଇଥିବା ବାଇକ୍‌ଟି ତପନ ରାଉତରାୟର। ପ୍ରତ୍ୟେକ ଦିନ ସ୍ବାଗତ ଓ ଦେବାଶିଷ ଖୋର୍ଦ୍ଧାରୁ ବାଇକ୍‌ରେ ଆସି ଏଭଳି ଲୁଟ୍‌ କରିଥାନ୍ତି। ସେଠାରେ ଯାଇ ବାଇକ୍‌ ମାଲିକ ତପନଙ୍କ ସହ ଲୁଟ୍‌ ସାମଗ୍ରୀ ଭାଗ କରିନିଅନ୍ତି। ଫଳରେ ସେମାନଙ୍କର ଟେର ପାଇବା‌ ସମ୍ଭବ ହୁଏ ନାହିଁ। ଅନ୍ୟ କେତେକ ମାମଲାରେ ମଧ୍ୟ ସେମାନେ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ସେ ନେଇ ଅଧିକ ତଦନ୍ତ ଚାଲିଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ସୂଚନା ମୁତାବକ, ଗତ ୭ ତାରିଖ ଦିନ ଲକ୍ଷ୍ମୀସାଗର କେନାଲ ରୋଡ୍‌ ପ୍ଲଟ ନଂ. ନମ୍ବର ୧୫୨୩ ସୁଶାନ୍ତ ପଣ୍ଡା ତାଙ୍କ ପତ୍ନୀ କୀର୍ତ୍ତିମୟୀ ମିଶ୍ରଙ୍କୁ ବାଇକ୍‌ରେ ବସାଇ ଏକ ନମ୍ବର ହାଟକୁ ଯାଉଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସେମାନେ ରାଜମହଲ ଓଭରବ୍ରିଜ୍‌ରୁ ତଳକୁ ଓହ୍ଲାଉଥିବା ବେଳେ ଦୁଇଜଣ ଯୁବକ ଏକ ପଲ୍‌ସର (ଓଡି୩୩ଏମ୍‌-୬୬୮୪)ରେ ଆସି କୀର୍ତ୍ତିମୟୀଙ୍କ ବେକରୁ ୧୨ ଗ୍ରାମ ଓଜନର ସୁନା ଚେନ୍‌ ଝାମ୍ପି ନେଇଥିଲେ। ଚଳନ୍ତା ଗାଡ଼ିରୁ କୀର୍ତ୍ତିମୟୀ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଥିଲା। ସିସିଟିଭି କ୍ୟାମେରାରେ ପୁଲିସ ସେମାନଙ୍କୁ ଚିହ୍ନଟ କରିଥିଲା। ସେମାନେ ଲୁଟ୍‌ପାଟ୍‌ ପାଇଁ ଭୁବନେଶ୍ବର ଆସିଥିବା ସମୟରେ ପୁଲିସ ସନ୍ଦେହରେ ପଚରାଉଚରା ପାଇଁ ଅଟକାଇବା ବେଳେ ସେମାନେ ଚକ୍‌ମା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁଇଜଣ ପୁଲିସ ଅଧିକାରୀ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଧରିଥିଲେ। ପଚରା ଉଚରା ପରେ ପୁଲିସ ଖୋର୍ଦ୍ଧା ଯାଇ ବାଇକ୍‌ ମାଲିକ ତପନକୁ ଧରିଥିଲା।

ସମ୍ବନ୍ଧିତ ଖବର