ଧଉଳି: ବାତ୍ୟା ‘ଫନି’ ମାଡ଼ରେ ଧଉଳି ଶାନ୍ତିସ୍ତୂପ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ପାର୍କ ଓ ପାର୍କିଂ ସ୍ଥଳ, ଶୌଚାଳୟ ଓ ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଯାଇଛି। ସମଗ୍ର ଶାନ୍ତିସ୍ତୂପ ପରିସରରେ ୩ କୋଟି ୨୪ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆକଳନ ହୋଇଛି। ଏହାର ସିଧା ପ୍ରଭାବ ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀରୁ ହେଉଥିବା ରାଜସ୍ୱ ଆଦାୟ ଉପରେ ପଡ଼ିଛି। ଏହି ପର୍ଯ୍ୟଟନସ୍ଥଳୀରୁ ଦିନକୁ ୨୫ରୁ ୩୦ ହଜାର ଟଙ୍କା ପର୍ଯ୍ୟଟକ ଫି’ ଆଦାୟ ହେଉଥିବା ବେଳେ ବାତ୍ୟା ପରେ ଏହା ମାତ୍ର ୧୫ଶହ ଟଙ୍କାରୁ ୨୦୦୦ଟଙ୍କାକୁ ଖସି ଆସିଛି।
ବାତ୍ୟାର ୧୪ଦିନ ବିତି ଯାଇଥିଲେ ମଧ୍ୟ ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟ ପୂରା ଅସଜଡ଼ା ଓ ଅପରିଷ୍କାର ହୋଇ ପଡ଼ି ରହିଛି। ବସ୍ ପାର୍କିଂ ସ୍ଥଳରେ ୫୦ ଫୁଟ୍ ଲମ୍ବର ଷ୍ଟାପ ବିଶ୍ରାମଗାର ପ୍ଲାଷ୍ଟିକ୍ ସେଡ୍ ଭାଙ୍ଗି ଯାଇଛି। ମାର୍କେଟ୍ କମ୍ପ୍ଲେକ୍ସ ପାର୍ଶ୍ବରେ ଥୁଆ ହୋଇଥିବା ୬ଟି ସଟଲ୍ ବସ୍ ମଧ୍ୟରୁ ଗୋଟିଏ ଉପରେ ପାଣିଟାଙ୍କି ଉପର ୫ଫୁଟିଆ କଂକ୍ରିଟ୍ ଘୋଢ଼ଣି ଉଡ଼ି ପଡ଼ିବାରୁ ତାହା ଭାଙ୍ଗି ଯାଇଛି। ସେହିପରି ଆଉ ଦୁଇଟି ବସ୍ ସାମାନ୍ୟ ଚେପା ହୋଇଯାଇଛି। ପର୍ଯ୍ୟଟକମାନଙ୍କ ଉଦ୍ଦେଶ୍ୟରେ ଏଠାରେ ନିର୍ମିତ ହୋଇଥିବା ୪ଟି ଶୌଚାଳୟ ଓ ୪ଟି ପରିସ୍ରାଗାର କ୍ଷତିଗ୍ରସ୍ତ ହୋଇଛି।
ବଡ଼ କଥା ହେଉଛି, ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରୁ ସିଧାସଳଖ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଯାତାୟାତ ପାଇଁ ବାଟ ସଫା ହୋଇଯାଇଛି। ହେଲେ ବସଷ୍ଟାଣ୍ଡ ପ୍ରବେଶ ବାଟରେ ଭାଙ୍ଗି ଛିଣ୍ଡି ପଡ଼ିଥିବା ୧୧କେଭି ବିଦ୍ୟୁତ ଖୁଣ୍ଟ ଓ ତାର ଏବେ ବି ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଛି। ଉତ୍ତରା ସେକ୍ସନ୍ ପକ୍ଷରୁ ଧଉଳି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦେବାରେ ବିଳମ୍ବ ହେଉଥିବା ବେଳେ ବସ୍ଷ୍ଟାଣ୍ଡରୁ ୧୧କେଭି ତାର ହଟାନଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବସଷ୍ଟାଣ୍ଡରୁ ପର୍ଯ୍ୟଟକ ନେଇ ଶାନ୍ତିସ୍ତୂପକୁ ଯିବାରେ ସମସ୍ୟା ଦେଖାଦେଇଛି। ଶାନ୍ତିସ୍ତୂପ ବୁଲିବାକୁ ଆସୁଥିବା ବସ୍ଗୁଡ଼ିକ ବଡ଼ ବସ୍ଷ୍ଟାଣ୍ଡ ଭିତରକୁ ପଶି ପାରୁନି କିମ୍ବା ଷ୍ଟାଣ୍ଡ ଭିତରେ ଥିବା ଓଟିଡିସିର ୬ଟି ଯାକ ସଟଲ୍ ବସ୍ ପଦାକୁ ବାହାରି ପାରୁନି। ତାର ହଟାଇ ପାର୍କିଂ ସମସ୍ୟାର ସମାଧାନ ଓ ଆନୁଷଙ୍ଗିକ ଭିତ୍ତିଭୂମି ସଜଡ଼ାଡିବା ଦିଗରେ ଉଭୟ ବିଦ୍ୟୁତ୍ ଓ ପର୍ଯ୍ୟଟନ ବିଭାଗ ତ୍ବରିତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଫଳରେ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକମାନଙ୍କଠାରୁ ବାତ୍ୟା ପୂର୍ବରୁ ଦିନକୁ ୨୫/୩୦ ହଜାର ଓ ଜାନୁଆରି ମାସରେ ୫୦ହଜାର ପର୍ଯ୍ୟନ୍ତ ପର୍ଯ୍ୟଟକ ଫି’ ଆଦାୟ କରୁଥିବା ବେଳେ ବାତ୍ୟା ପରେ ଦିନକୁ ମାତ୍ର ୧୫ଶହ ଟଙ୍କା ଫି’ ଆଦାୟ ହେଉଥିବା ଦାୟିତ୍ବରେ ଥିବା କର୍ମଚାରୀମାନେ କହିଛନ୍ତି।
ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ବାତ୍ୟା ପରିସ୍ଥିତି ଦୃଷ୍ଟିରୁ ଦିନକୁ ୧ହଜାରରୁ ଦେଢ଼ ହଜାର ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବାକୁ ଆସୁଥିବା ଭୁବନେଶ୍ବର ଟୁରିଷ୍ଟ ଅଫିସର୍ ଅଜୟ କୁମାର ରାଉତ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ଆସନ୍ତା ସପ୍ତାହ ସୁଦ୍ଧା ବସ୍ଷ୍ଟାଣ୍ଡରୁ ପୂର୍ବଭଳି ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ, ଶାନ୍ତସ୍ତୂପ ଖାଁ ଖାଁ ହୋଇଯାଇଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ କିଛି ବସ୍ ଶାନ୍ତିସ୍ତୂପକୁ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ବେଧଡ଼କ ଭାବେ ଶାନ୍ତିସ୍ତୂପକୁ ସିଧାସଳଖ ଯାତାୟାତ କରୁଛନ୍ତି। ଫଳରେ ପୂର୍ବଭଳି ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। କାଁ ଭାଁ ବସ୍ରୁ ପର୍ଯ୍ୟଟକମାନେ ମୁଖ୍ୟ ରାସ୍ତାରେ ଓହ୍ଲାଇ ଅଟୋ କିମ୍ବା ଟ୍ୟାକ୍ସିରେ ଶାନ୍ତସ୍ତୂପକୁ ଯାତାୟାତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Dhauli-Final.jpg)