ଜଟଣୀ: ଜଟଣୀ ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ଦଳରୁ ପ୍ରାର୍ଥୀ ଘୋଷଣା ସରିଛି। କେବଳ କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ଅଟକି ରହିଛି। ଜଟଣୀ କଂଗ୍ରେସରୁ ଏକାଧିକ ଆଶାୟୀ ରହିଛନ୍ତି। କିନ୍ତୁ ଏଠାରେ କଂଗ୍ରେସ ବିଭାଜିତ ହେବାରେ ଲାଗିଛି। ଆଜି ଜଟଣୀ ପୌରପାଳିକାର ତିନିଟି ୱାର୍ଡର କଂଗ୍ରେସ କାଉନ୍ସିଲର୍ ଓ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନ ବିଜେଡିରେ ଯୋଗ ଦେଇଛନ୍ତି। କାଉନ୍ସିଲର୍ମାନେ ହେଲେ ୮, ୧୪ ଓ ୧୬ ନମ୍ବର ୱାର୍ଡର ଇତିଶ୍ରୀ ଦାସ, କୃଷ୍ଣଚନ୍ଦ୍ର ନାୟକ ଓ ଅନିତା ମହାପାତ୍ର। ସେହିପରି ମେଣ୍ଢାଶାଳ ସରପଞ୍ଚ କୌଶଲ୍ୟା ବଳିୟାରସିଂହ ମଧ୍ୟ ବିଜେଡିରେ ମିଶିଛନ୍ତି। ଏହି ନେତାମାନେ ପିସିସି ସଭାପତିଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଜଟଣୀର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ କୌଣସି ଦଳୀୟ ନେତା ବା କାର୍ଯ୍ୟକର୍ତ୍ତା ସାହାଯ୍ୟ ଓ ସହଯୋଗ କରୁ ନଥିଲେ। ତେଣୁ ସେମାାନେ ଦଳ ଛାଡ଼ିଥିବା କହିଛନ୍ତି।
ଆଜି ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ, ଜଟଣୀର ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ, ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେଡି ସମ୍ପାଦକ ପ୍ରଦୀପ ସାହୁ ଓ ଜିଲ୍ଲା ଉପସଭାପତି ବିପିନ ଜୟସିଂହ ଉପସ୍ଥିତ ରହି ଏହି ନେତାମାନଙ୍କୁ ସ୍ବାଗତ କରିଥିଲେ। ଜଟଣୀ ନିର୍ବାଚନମଣ୍ଡଳୀରେ ବିଜେପିର ୧୮ଜଣ କାର୍ଯ୍ୟକର୍ତ୍ତା ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ବିଜେଡିରୁ ସାଂସଦ ପ୍ରାର୍ଥୀ ହେଲା ପରେ ଏଠାରେ କଂଗ୍ରେସ ସ୍ଥିତି ବିଗିଡ଼ିବାରେ ଲାଗିଛି। ମନ୍ମଥଙ୍କ ପାଇଁ ଅନେକ କଂଗ୍ରେସ ନେତା ଓ କର୍ମୀ ଖୋଲାଖୋଲି ବୁଲିବା ଆରମ୍ଭ କଲେଣି। ସୁରଙ୍କ ପରେ ତାଙ୍କ ପୁତୁରା ସଂଗ୍ରାମଙ୍କ ସମେତ ଅନ୍ୟ ଆଶାୟୀମାନେ ଜଟଣୀ କଂଗ୍ରେସର ମଙ୍ଗ ଧରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବାରୁ କଂଗ୍ରେସ କର୍ମୀଙ୍କୁ ଏକଜୁଟ୍ ରଖିବାକୁ କେହି ଉଦ୍ୟମ କରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjgjdjdgdjggj.jpg)