ଓଟିଡିସି ନାଁରେ ଠିକାଦାରକୁ ୩କୋଟି ଚୂନ ଲଗାଇବା ଘଟଣା: ଆଉ ୧୨ଲକ୍ଷ ଟଙ୍କା ଜବତ

ବ୍ୟାଙ୍କ୍ ଶାଖା ପ୍ରବନ୍ଧକଙ୍କୁ ଆଣି ପଚରାଉଚରା, ଦଲାଲକୁ ଖୋଜୁଛି ତଦନ୍ତକାରୀ ଟିମ୍‌

ଭୁବନେଶ୍ବର: ଓଟିଡିସି ନାଁ‌ରେ ଜଣେ ଠିକାଦାରକୁ ୩ କୋଟି ଟଙ୍କାର ଚୂନ ଲଗାଇ ଗିରଫ ହୋଇଥିବା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀର କଳା କାରନାମା ପଦାକୁ ଆସିବା ପରେ ଇଓଡବ୍ଲୁ ଠକେଇ ହୋଇଥିବା ଟଙ୍କାକୁ ନେଇ ତତ୍ପରତା ଦେଖାଇଛି। ବିଜୟାନନ୍ଦଙ୍କ ନାଁରେ ଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଅଚଳ କରିବା ପରେ ଆହୁରି ଅନେକ ଘରୋଇ ବ୍ୟାଙ୍କ୍‌ରେ ବାବା ଲକ୍ଷାଧିକ ଟଙ୍କା ରଖିଥିବା ଜଣାପଡ଼ିଛି। ଏକ ବ୍ୟାଙ୍କରୁ ଇଓଡବ୍ଲୁ ଆଜି ୧୨ଲକ୍ଷ ଟଙ୍କା ଜବତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କେବଳ ‌ସେତିକି ନୁହେଁ, ଏକାଧିକ ଘରୋଇ ବ୍ୟାଙ୍କ୍‌ର ଶାଖା ପ୍ରବନ୍ଧକଙ୍କ ସମେତ କଟକ ଏସ୍‌ବିଆଇର ମର୍କତନଗର ଶାଖା ପ୍ରବନ୍ଧକଙ୍କୁ ଡକାଇ ଇଓଡବ୍ଲ୍ୟୁ ସେମାନଙ୍କୁ ବାବା ବିଷୟରେ ପଚରାଉଚରା କରୁଥିବା ସୂଚନା ମିଳିଛି।

ଏକ ଘରୋଇ ବ୍ୟାଙ୍କ୍‌ରେ ବିଜୟାନନ୍ଦ ନିୟମିତ ବ୍ୟବଧାନରେ ଲକ୍ଷଲକ୍ଷ ଟଙ୍କା ଜମା କରୁଥିବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାଙ୍କୁ ପ୍ରାଥମିକ ଦେଉଥିଲେ। କୁହାଯାଉଛି, ବାବାଙ୍କ ପାଇଁ ଉକ୍ତ ଘରୋଇ ବ୍ୟାଙ୍କ୍ ଚାଲୁଥିଲା। ଆଉ ବାବା ବ୍ୟାଙ୍କ୍‌ରେ ଆକାଉଣ୍ଟ୍ ଖୋଲି କଳା ଟଙ୍କା କାରବାର କରୁଥିଲେ। ତେଣୁ ବିଜୟାନନ୍ଦଙ୍କ ଏହି କଳା ଟଙ୍କା କାରବାରର ସୂତ୍ର ଜାଣିବା ପାଇଁ ଇଓଡବ୍ଲୁ ଗତ ବର୍ଷ ମେ’ ମାସରୁ ତାଙ୍କ ନାଁରେ ଥିବା ବିଭିନ୍ନ ଆକାଉଣ୍ଟ୍‌କୁ କେଉଁ ସମୟରେ ଟଙ୍କା ନେଣଦେଣ ହୋଇଥିଲା, କିଏ ଟଙ୍କା ପଠାଉଥିଲା, ବିଜୟାନନ୍ଦ ଟଙ୍କା କାହାକୁ ପଠାଉଥିଲେ, ସେ ସବୁର ତର୍ଜମା କରାଯିବ।
ସେହିଭଳି ବିଜୟାନନ୍ଦଙ୍କର ଏହି ଠକେଇ ରାକେଟରେ ଇଞ୍ଜିନିୟର ଆକାଶ ଚନ୍ଦନ ମହାନ୍ତିଙ୍କ ବ୍ୟତୀତ ଓଟିଡିସିର ଜଣେ ନକଲି ପଦାଧିକାରୀ, କିରାଣି ଓ ଅନେକ ଲୋକ ସାମିଲ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ବାବାଙ୍କୁ ଓଟିଡିସିର ଜାଲ୍‌ ଵାର୍କ ଅର୍ଡର ଦେବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ବୋଲି ସୂଚନା ମିଳିଛି। ଏପରିକି ଗଂଜାମର ଜଣେ ଦଲାଲ ବିଜୟାନନ୍ଦଙ୍କ ଅସାଧୁ ମେଣ୍ଟକୁ ଅନେକ ଠିକାଦାରଙ୍କୁ ଆଣି ଜୁଟାଉଥିଲେ। ଆଉ ପ୍ରତି ଠିକାଦାର ବାବଦକୁ ଉକ୍ତ ଦଲାଲ ବିଜୟାନନ୍ଦଙ୍କ ଏହି ଗୋଷ୍ଠୀଠାରୁ ଟଙ୍କା ପର୍ସଣ୍ଟେଜ୍ ଆକାରରେ ନେଉଥିଲେ। ତେଣୁ ଏହି ଅସାଧୁ ମେଣ୍ଟ ଓ ଠିକାଦାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକାରୀ ଦଲାଲକୁ ବାନ୍ଧିବା ପାଇଁ ଇଓଡବ୍ଲୁ ବିଭିନ୍ନ ଆଡ଼େ ଚଢ଼ଉ କରିଥିବା ଜଣାପଡ଼ିଛି। ଏହା ସହିତ ଚୌଦ୍ବାରସ୍ଥିତ ଆଶ୍ରମରେ ଇଓଡବ୍ଲୁ ଚଢ଼ାଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି।

ରାକେଟ୍‌ରେ ଆହୁରି ଅନେକ ସାମିଲ, ହୋଟେଲରେ ୮୦ ଲକ୍ଷ ଖର୍ଚ୍ଚ କରି ବିବାହ କରିଥିଲେ ଚନ୍ଦନ, ମହିଳାଙ୍କୁ ଅସଦାଚରଣ କରୁଥିଲେ ଭଣ୍ଡ ବାବା

ହୋଟେଲରେ ୮୦ ଲକ୍ଷ ଖର୍ଚ୍ଚ କରି ବିବାହ କରିଥିଲେ ଚନ୍ଦନ
ଭଣ୍ଡ ବାବା ବିଜୟାନନ୍ଦଙ୍କ ସହିତ ଗିରଫ ହୋଇଥିବା ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତିଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ସଂପର୍କରେ ଇଓଡବ୍ଲୁ ବହୁ ତଥ୍ୟ ପାଇଥିବା ଜଣାପଡ଼ିଛି। ଅସାଧୁ ମେଣ୍ଟରେ ଜଣେ ପ୍ରମୁଖ ସଦସ୍ୟ ଭାବେ କାମ କରୁଥିବା ଚନ୍ଦନ ଗତ କିଛି ମାସ ତଳେ ବିବାହ କରିଥିଲେ। ଏକ ନାମୀ ହୋଟେଲ୍‌ରେ ରାଜକୀୟ ଢଙ୍ଗରେ ତାଙ୍କ ବିବାହ ସଂପନ୍ନ ହୋଇଥିବା ଜଣାପଡ଼ିଛି। ଆଉ ହୋଟେଲ୍ ଖର୍ଚ୍ଚ ବାବାଦକୁ ଚନ୍ଦନ ପ୍ରାୟ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ହିସାବ କଲେ କୋଟିଏ ପାର୍ ହେବ ବୋଲି ଇଓଡବ୍ଲୁ ଆକଳନ କରିଛି। ତେବେ ବିବାହରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଏତେ ଟଙ୍କା ଆକାଶ କେଉଁଠୁ ଆଣିଲେ, ଟଙ୍କା ଆୟର ସୂତ୍ର କ’ଣ, ଏସବୁ ଦିଗ ଉପରେ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ମହିଳାଙ୍କୁ ଅସଦାଚରଣ କରୁଥିଲେ ଭଣ୍ଡ ବାବା
ଧୂର୍ତ୍ତ ବାବା ବିଜୟାନନ୍ଦ ଯୋଗୀ ନୁହେଁ, ଜଣେ ଭୋଗୀ ଥିଲେ ବୋଲି ଜଣାପଡ଼ିଛି। ନିଜକୁ ସ୍ବାମୀ ବୋଲି କହି ବୁଲୁଥିବା ଏହି ଭଣ୍ଡ ବାବା ମହିଳାଙ୍କୁ ଆଶୀର୍ବାଦ ଦେବା ନାଁ’ରେ ଅସଦାଚରଣ କରିବା ସହିତ ସେମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ଛୁଉଁଥିବାର ଦୃଶ୍ୟ ପୁଲିସ ହାତରେ ଲାଗିଛି। ଉଭୟ ନେତା ଓ ଜନତାଙ୍କୁ ଅଲୌକିକ ଶକ୍ତି ଦେଖାଇ ଏଭଳି ଭଣ୍ଡାମି ମଧ୍ୟ କରୁଥିବା ଭିଡିଓରେ ଦେଖାଯାଉଛି। ଖାଲି ଏତିକି ନୁହେଁ, ଚଳିତ ବର୍ଷ କୁମ୍ଭମେଳାରେ ‘ବାରହାତ ଖଣ୍ଡା’ ଚଳଚ୍ଚିତ୍ର କାହାଣୀର ପୂଜା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଥିଲେ। ସେ କିଛି ବଙ୍ଗୀୟ ଯୁବତୀଙ୍କ ସମେତ ୫ରୁ ଅଧିକ ଯୁବତୀଙ୍କୁ ଟଙ୍କା ଦେଇଥିବା ଜଣାପଡ଼ିଛି। ଏସବୁ ତଥ୍ୟ ବିଜୟାନନ୍ଦଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ର ତଦନ୍ତ କରିବା ପରେ ଇଓଡବ୍ଲୁ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର