୩ଦିନ ପାଇଁ ‘କେୟାର’ ହସ୍ପିଟାଲର ଓପିଡି ଫାର୍ମାସି ବନ୍ଦ

ଭୁବନେଶ୍ବର: କେୟାର ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଔଷଧ ଯୋଗାଣ ହେଉଥିବା ଫାର୍ମାସିକୁ ଆସନ୍ତା ୩ଦିନ ପାଇଁ ସିଲ୍ କରିଛି ରାଜ୍ୟ ଔଷଧ ନିର୍ଦେଶାଳୟ। କାଗଜପତ୍ରକୁ ଠିକ୍ ଭାବେ ବଜାୟ ନ ରଖିବା କାରଣରୁ ଫାର୍ମାସିକୁ ସିଲ୍‌ କରାଯାଇଥିବା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର (ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, ପୂର୍ବରୁ ହସ୍ପିଟାଲ ସଂପର୍କରେ ଅନେକ ଅଭିଯୋଗ ଆସିଥିଲା। ପରବର୍ତୀ ସମୟରେ ନିର୍ଦେଶାଳୟ ପକ୍ଷରୁ ହସ୍ପିଟାଲରେ ଔଷଧପତ୍ରର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସଂପର୍କିତ ରିପୋର୍ଟ ଆସିବା ପରେ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ହସ୍ପିଟାଲ କର୍ତୃପକ୍ଷ ଜବାବ ରଖିବା ପରେ ଆଜି ଓପିଡିକୁ ଯୋଗାଣ ହେଉଥିବା ଔଷଧ କାଉଣ୍ଟରକୁ ୩ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅପରପକ୍ଷରେ କେୟାର ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ପ୍ରୋଟୋକଲ୍‌ ଅନୁସାରେ ଅପଗ୍ରେଡ୍‌ ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ଏହା ଏକ ନିୟମିତ ଯାଞ୍ଚ ପ୍ରକ୍ରିୟା। ନିର୍ଦେଶାଳୟର ଯାଞ୍ଚ ପରେ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଓପିଡି ଫାର୍ମାସି ବନ୍ଦ ରହିବ। ରୋଗୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ହସ୍ପିଟାଲ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ୧୩ତାରିଖଠାରୁ ପୂର୍ବଭଳି ଓପିଡି ଫାର୍ମାସି ଖୋଲିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଳିଙ୍ଗ ଓ ଆମ୍ରି ହସ୍ପିଟାଲରେ ରାଜ୍ୟ ଡ୍ରଗ୍‌ସ ନିର୍ଦେଶାଳୟ ପକ୍ଷରୁ ଯାଞ୍ଚ ହୋଇଥିବା ‌ବେଳେ କାଗଜପତ୍ରକୁ ଠିକ୍ ଭାବେ ବଜାୟ ନ ରଖିବା କାରଣରୁ ସମାନ ଢଙ୍ଗରେ ଔଷଧ କାଉଣ୍ଟର ବନ୍ଦ ରଖିବା ପାଇଁ ନିର୍ଦେଶାଳୟ ନିର୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର