ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଥାନା ପୁଲିସ ଆଜି ଗୋଟିଏ ଦିନରେ ରେଳଧାରଣା କଡ଼ରୁ ୩ଟି ମୃତଦେହ ଜବତ କରିଛି। ଜଣକର ପରିଚୟ ମିଳିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିନାହିଁ। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏସଂପର୍କରେ ୩ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ରେଳବାଇ ଥାନା ଇନ୍ସପେକ୍ଟର୍‌ ଜୟଦେବ ବିଶ୍ବଜିତଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ଭୁବନେଶ୍ବର ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨, ଶିଶୁ ଭବନ ଛକ ଓ କଳାରାହାଙ୍ଗ ନିକଟରୁ ୩ଟି ମୃତଦେହ ଜବତ କରିଥିଲା।

Advertisment

ଭୁବନେଶ୍ବର ରେଲୱେ ଷ୍ଟେସନରରୁ ଯେଉଁ ମୃତହେଦ ଜବତ ହୋଇଛି ତାଙ୍କ ନାଁ ଚନ୍ଦନ ଗୁପ୍ତା। ଘର ସାଲିଆସାହି ନୀଳାଚଳ ନଗରରେ। ସେ ବେଙ୍ଗାଲୁରୁ ଫେରୁଥିବାବେଳେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଶିଶୁଭବନ ଛକରେ ଏକ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳି ପାରିନାହିଁ। କଳାରାହାଙ୍ଗ ଛକରେ ବେଙ୍ଗାଲୁରୁ ଫେରୁଥିବା ଜଣେ ଟ୍ରେନରୁ ଗଳି ପଡ଼ିଥି‌ଲେ। ତାଙ୍କ ମଧ୍ୟ ପରିଚୟ ମିଳି ନାହିଁ। ସେ ତେଲେଙ୍ଗାନା କିମ୍ବା ବିହାରର ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ନିକଟରୁ ଜବତ ହୋଇଥିବା ଟିକେଟ୍ ଓ ଅନ୍ୟାନ୍ୟ କାଗଜପତ୍ରରୁ ପୁଲିସ ସେମାନଙ୍କ ପରିଚୟ ପାଇବା ପାଇଁ ଉଦ୍ୟମ ଚଳାଇଛି।