ଖଣ୍ଡଗିରି: ଗୁରୁବାର ପୁଣି ୨ଜଣ ବ୍ରାଉନ୍ ସୁଗାର ବେପାରୀଙ୍କୁ ବାନ୍ଧିଛି କମିସନରେଟ୍ ପୁଲିସ। ସେମାନେ ହେଲେ, ରସୁଲଗଡ଼ ଅଞ୍ଚଳର ବାସୁଦେବ ମହାନ୍ତି ଓ ତାରିଣୀ ପ୍ରସାଦ ମହାପାତ୍ର। ପୁଲିସ ସେମାନଙ୍କଠାରୁ ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଓ ୩୫ହଜାର ଟଙ୍କା ଜବତ କରିଛି। କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଚଢ଼ଉ କରି ପାତ୍ରପଡ଼ା କଳିଙ୍ଗବିହାର ଛକ ନିକଟସ୍ଥ ନିର୍ମାଣାଧୀନ ମଲ୍ ନିକଟରୁ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ଅଧିକ ପଚରାଉଚରା କରୁଛି ଓ ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ଏହି ଦୁଇ ଅଭିଯୁକ୍ତ ନିୟମିତ ପାତ୍ରପଡ଼ା ଅଞ୍ଚଳରେ ବ୍ରାଉନ୍ସୁଗାର ବିକୁଥିବା ଜଣାପଡ଼ିବା ପରେ କ୍ୟୁଏଟି ଟିମ୍ ଗତ କିଛି ଦିନ ହେଲା ପିଛା କରୁଥିଲା। ଆଜି ଦୁଇ ଜଣଯାକ କଳିଙ୍ଗବିହାର ଛକରେ ଥିବା ଖବର ପାଇ କ୍ୟୁଏଟି ଟିମ୍ ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ଅପରାହ୍ଣ ପ୍ରାୟ ୧ଟାବେଳେ ସେଠାରେ ଚଢ଼ଉ କରିଥିଲେ। ସେମାନେ ବାଇକ୍ରେ ଖସି ପଳାଇବାକୁ ବସିଥିବା ବେଳେ ଦୁଇପଟୁ ପୁଲିସ ଟିମ୍ ଘେରିଯିବାରୁ ସେମାନେ ଧରା ପଡ଼ି ଯାଇଥିଲେ। ବାସୁଦେବଠାରୁ ୧୦ ଗ୍ରାମ ବ୍ରାଉନ୍ସୁଗାର ଓ ନଗଦ ୨୦ ହଜାର ଟଙ୍କା ଏବଂ ତାରିଣୀଠାରୁ ୧୦ଗ୍ରାମ ପାଉଡର୍ ସହ ୧୫ହଜାର ଟଙ୍କା ମିଳିଥିଲା। ପୁଲିସ ଗିରଫ କରିବା ପୂର୍ବରୁ ସେମାନେ ୩୫ ହଜାର ଟଙ୍କାର ମାଲ୍ ବିକି ସାରିଥିଲେ। ଏମାନେ ବରମୁଣ୍ଡା, ଜାଗମରା, ପାତ୍ରପଡ଼ା ଆଦି ଅଞ୍ଚଳରେ ମାଲ୍ ବିକ୍ରି କରୁଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହି ଧଳା ଜହରର କରିଡର୍ ଭାବେ ଜଣାଶୁଣା ଖଣ୍ଡଗିରି-ଖୋର୍ଧା ପେଣ୍ଠରୁ ପୁଲିସ ଗୋଟିଏ ମାସରେ ୮ ଜଣଙ୍କୁ ଗିରଫ କରି ସାରିଲାଣି। ଗତ ମାସରେ ଯାଁଳା ଫାଣ୍ଡି ପୁଲିସ ଖୋର୍ଧା ରାଧାବଲ୍ଲଭସାହିରୁ ଦୁଇ ଭାଇ ଶୁଭେନ୍ଦୁ ପରିଡ଼ା ଓ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାକୁ ଗିରଫ କରିଥିଲା। ସେମାନଙ୍କଠାରୁ ୨୦ ଗ୍ରାମ୍ ପାଉଡର୍ ଓ ନଗଦ ୧.୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସେହିଭଳି ଗତ ମାସ ୨୧ ତାରିଖରେ ବରମୁଣ୍ଡାରୁ ଅବକାରୀ ବିଭାଗ ୨ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ବରମୁଣ୍ଡାର ସୌମ୍ୟରଂଜନ ସାହୁ ଓ ଭଡ଼ାରେ ରହି ଅଟୋ ଚଳାଉଥିବା ନୟାଗଡ଼ର ପ୍ରକାଶ ମହାପାତ୍ର। ସେମାନଙ୍କଠାରୁ ୨୭ଗ୍ରାମ୍ ପାଉଡର୍ ଓ ୨୭ ହଜାର ଟଙ୍କା ଜବତ ହୋଇଥିଲା। ଚଳିତ ମାସ ୧୨ ତାରିଖରେ ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ପୁଲିସ ଖୋର୍ଧାର ଟୁକୁନା ଦାସ ଓ ନୟାଗଡ଼ର ପ୍ରକାଶ ପ୍ରଧାନକୁ ଗିରଫ କରିଥିଲା। ସୂଚନାନୁସାରେ ଏମାନଙ୍କ ମଧ୍ୟରେ ଛୋଟାକୁ ବାଦ୍ଦେଲେ ଅନ୍ୟମାନେ ସବୁ ହେଉଛନ୍ତି କୁଜି ବେପାରୀ। ମାତ୍ର ଖୋର୍ଧାରେ ଡେରା ପକାଇ ବସିଥିବା ଆମଦାନୀକାରୀଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Untitled-27-3.jpg)