ଆଷାଢ଼ରେ ଅଂଶୁଘାତ, ଟଳି ପଡ଼ିଲେ ୩ ବୃଦ୍ଧ

ଚନ୍ଦ୍ରଶେଖରପୁର: ଆଷାଢ଼ ସରିବାକୁ ବସିଲାଣି। ବର୍ତ୍ତମାନ ପ୍ରବଳ ବର୍ଷା ହେବାର ସମୟ। କିନ୍ତୁ ଲୋକେ ଅଂଶୁଘାତରେ ଟଳି ପଡ଼ୁଛନ୍ତି। ଆଜି ରାଜଧାନୀରେ ଏମିତି ୩ଟି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ୩ ଜଣ ବୃଦ୍ଧ ବ୍ୟକ୍ତି ଅଂଶୁଘାତରେ ଗୁରୁତର ହୋଇଥିଲେ ହେଁ ଠିକଣା ସମୟରେ ସେବା ପାଇ ଅଘଟଣରୁ ବର୍ତ୍ତି ଯାଇଛନ୍ତି।

ସୂଚନାନୁସାରେ, ମଞ୍ଚେଶ୍ବର ରେଲୱେ କଲୋନି ଷ୍ଟାଡିୟମ୍ ନିକଟ ରେଳ ବିହାରରେ ରହୁଥିବା ଆଶୀର୍ବାଦ ‌ମହାପାତ୍ର(୬୭) ହାଟରୁ ଚାଲି ଚାଲି ଘରକୁ ଫେରୁଥିଲେ। ପ୍ରବଳ ଖରାରେ ସେ ଦୁର୍ବଳ ଅନୁଭବ କରିଥିଲେ ଓ ବାଟରେ ହିଁ ଟଳି ପଡ଼ିଥିଲେ। ସୌଭାଗ୍ୟକୁ ସେହି ବାଟ ଦେଇ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ରେଳବାଇ ସରକାରୀ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। ଖବର ପାଇ ତାଙ୍କ ପୁଅ, ବୋହୂ ହସ୍ପିଟାଲରେ ପହଞ୍ଚିଥିଲେ ଓ ଚିକିତ୍ସା ପରେ ତାଙ୍କୁ ଘରକୁ ଫେରାଇ ନେଇଥିଲେ। ସେହିଭଳି ପଟିଆ ଷ୍ଟେସନ୍ ନିକଟ ପଦ୍ମକେଶରପୁର ଅଞ୍ଚଳର ଜଣେ ବୃଦ୍ଧ ପଟିଆ କଲେଜ ଦିଗରୁ ଚାଲି ଚାଲି ଆସୁଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ହସ୍ପିଟାଲ୍ କର୍ମଚାରୀମାନେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ବୃଦ୍ଧଙ୍କ ନାମ ଗଗନେ‌ନ୍ଦୁ ଶବର(୬୦) ବୋଲି ଜଣାପଡ଼ିଛି। ଦୟାୱେଷ୍ଟ କେନାଲ୍ ବନ୍ଧରେ ‌ଅଲେଖ ପାଣି(୬୬) ନାମକ ଜଣେ ବୃଦ୍ଧ ଏକ ଗଛମୂଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଭୋଟପଡ଼ା ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ତାଙ୍କ ପାଖରେ ଫେରି ଜିନିଷ ପଡ଼ିଥିବାରୁ ସେ ଜଣେ ଫେରିବାଲା ବୋଲି ଜଣାପଡ଼ିଥିଲା। ସୁସ୍ଥ ହେବା ପରେ ଲୋକେ ତାଙ୍କୁ ଏକ ଅଟୋ ଯୋଗେ ଦାଢ଼ା ଅଞ୍ଚଳରେ ଥିବା ତାଙ୍କ ଘରକୁ ପଠାଇଥିଲେ।

ସମ୍ବନ୍ଧିତ ଖବର