ବିଦା ହେଲେ ୩ ପୂର୍ବତନ କର୍ପୋରେଟର

ବିଜେଡିରେ ନିଲମ୍ବନ ସଂଖ୍ୟା ୬

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କ ବିରୋଧରେ ବିଜେଡି କଠୋର ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅବମାନନା କରି ନିଜେ କିମ୍ବା ସମ୍ପର୍କିୟଙ୍କୁ ବିଏମ୍‌ସି ନିର୍ବାଚନରେ ପ୍ରାର୍ଥୀ କରିଥିବା ନେତାଙ୍କୁ ଦଳ ବାହାର ବାଟ ଦେଖାଯାଇଛି। ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାର ୨୪ ଘଣ୍ଟା ନ ପୁରୁଣୁ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ ଆଉ ୫ ଜଣଙ୍କୁ ଦଳରୁ ନିଳମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପୂର୍ବତନ କର୍ପୋରେଟର ରହିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ଉପ ସଭାପତି ନରେନ ସାହୁ, କି‌ଶୋର ମହାନ୍ତି, ସମ୍ପାଦକ ଗୁରୁ ଚରଣ ସାହୁ, ଅର୍ଜୁନ ବେହେରା, କୁନୁମୁନି ପାତ୍ରଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏମାନଙ୍କ ମଧ୍ୟରେ ନରେନ ସାହୁ, କିଶୋର ମହାନ୍ତି, ଗୁରୁ ଚରଣ ସାହୁ ପୂର୍ବରୁ କର୍ପୋରେଟର ରହି ସାରିଛନ୍ତି। ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ଭାଉଜ ନମିତା ସାହୁ ୩୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ୩୭ ନମ୍ବର ୱାର୍ଡର ବିଜେଡି ନେତା ଅର୍ଜୁନ ବେହେରାଙ୍କ ପତ୍ନୀ ବନ୍ଦିତା ପାଲ୍‌ ଏହି ୱାର୍ଡରୁ ବିଜେଡି ପ୍ରାର୍ଥୀଙ୍କ ବି‌ରୋଧରେ ଲଢ଼ୁଛନ୍ତି। ସେହିପରି ଅନ୍ୟ ତିନି ଜଣ ଦଳୀୟ ଶୃଙ୍ଖଳା

ଭଙ୍ଗ କରି ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ସୂଚନା‌ଯୋଗ୍ୟ ଯେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଗତକାଲି ବହିଷ୍କାର କରାଯାଇଥିଲା। ସାଗର ନିଜ ଉଭଣୀ ରିତିକା ବଳବନ୍ତରାୟଙ୍କୁ ୩୯ ନମ୍ବର ୱାର୍ଡରେ ପ୍ରାର୍ଥୀନୀ ଭାବେ ଛିଡ଼ା କରାଇବା ସହ ପ୍ରଚାରର ମଙ୍ଗ ଧରିଛନ୍ତି। ତେଣୁ ‌ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ସମ୍ବନ୍ଧିତ ଖବର