ଭୁବନେଶ୍ବର: ଚିକିତ୍ସା ବାବଦ ବକେୟା ୬୦ ହଜାର ଟଙ୍କା ପାଇଁ ପ୍ରାୟ ୩ ଘଣ୍ଟା କାଳ ବନ୍ଧକ ରହିଥିବା ମୃତଦେହ ଶେଷରେ ବିନା ଦେୟରେ ମୁକୁଳିଛି। ବିଜୁ ସ୍ବାସ୍ଥ୍ୟକାର୍ଡ ଥିବା ସତ୍ତ୍ବେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ଏମିତି ଅଟକ ରଖିବା ଓ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବା ପରେ ଛାଡ଼ିବା ଘଟଣାଟି ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ମଙ୍ଗଳବାର ଦିନ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ବୋଲଗଡ଼ ରାଜସୁନାଖଳାର ବିଶ୍ବନାଥ ମୁଦୁଲି(୩୫)ଙ୍କୁ ପ୍ରଥମେ ଭୁବନେଶ୍ବର ଏମ୍ସ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର କୌଣସିଠାରେ ଆଇସିୟୁ ଫାଙ୍କା ନଥିବାରୁ ଡାକ୍ତରମାନେ ତାଙ୍କୁ ଫେରାଇ ଦେଇଥିଲେ। ତେଣୁ ସେଦିନ ରାତିରେ ତାଙ୍କୁ ଫରେଷ୍ଟ ପାର୍କ ନିକଟସ୍ଥ ଶୁଶ୍ରୂତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ପ୍ରାୟ ୧୦ଟା ବେଳେ ବିଶ୍ବନାଥ ଆଖିବୁଜି ଦେଇଥିଲେ।
କିନ୍ତୁ ବକେୟା ଥିବା ଚିକିତ୍ସା ଖର୍ଚ୍ଚ ୬୦ ହଜାର ଟଙ୍କା ଦେଲେ ଶବ ଛାଡ଼ିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ବିଶ୍ବନାଥଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ପରିବାର ଲୋକେ ସେତେବେଳେ ଏତେ ଟଙ୍କା ପଇଠ କରିବା ସମ୍ଭବ ହୋଇନଥିଲା। ସେମାନେ ବିଜୁ ସ୍ବାସ୍ଥ୍ୟକାର୍ଡ କଥା କହିଥିଲେ। କିନ୍ତୁ ହସ୍ପିଟାଲର କର୍ମଚାରୀମାନେ ୬୦ ହଜାର ଟଙ୍କା ନପାଇଲେ, ଶବ ଛାଡ଼ିବେନି ବୋଲି ଜିଦ୍ ଧରିବସିଲେ। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ବଢ଼ିଥିଲା। ପରେ ହସ୍ପିଟାଲର ଅଧିକାରୀମାନେ ପରିବାରବର୍ଗଙ୍କୁ ବୁଝାଇବା ସହ ବିନା କୌଣସି ଦେୟରେ ମୃତଦେହକୁ ଛାଡ଼ିଥିଲେ। ସେତେବେଳକୁ ୨ଟା ବାଜି ସାରିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ମୃତଦେହ ହସ୍ତାନ୍ତର ବେଳେ କୌଣସି ପଦାଧିକାରୀ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।