ହସ୍ପିଟାଲରୁ ୩ ଶହ ଗଛ କାଟିଦେଲେ

ଭୁବନେଶ୍ବର: ଗଛ କଟାରେ ଲାଗୁନି ବିରାମ। ପୁଣିଥରେ ରାଜଧାନୀ ହୃତ୍‌ପିଣ୍ଡ୍‌ରୁ କଟିଛି ୩୦୦ରୁ ଅଧିକ ବୃକ୍ଷ। ଏଥର ବିଧାୟକଙ୍କ ସୌଧ ନିର୍ମାଣ ପାଇଁ ନୁହେଁ, ବରଂ କ୍ୟାପିଟାଲ ହସ୍ପିଟାଲର ପିଜି ଇନ୍‌ଷ୍ଟିଚ୍ୟୁଟ ନିର୍ମାଣ ପାଇଁ ଗଛକୁ ବଳି ଦିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି। ଏଥିସହ ସେଠାରେ ଥିବା ବଡ଼ ବଡ଼ ଗଛକୁ କାଟି ଦିଆଯାଉଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଗଛ ଟଳିପଡ଼ୁଥିଲେ ମଧ୍ୟ କେହି ବିରୋଧ କରୁନାହାନ୍ତି କି ଆଗକୁ ଆସୁନାହାନ୍ତି। ଗତ ସପ୍ତାହରେ ବିଧାୟକଙ୍କ କ୍ବାର୍ଟର୍ସ ଲାଗି ଗଛ କଟାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ସାମାଜିକ ସଙ୍ଗଠନଗୁଡ଼ିକ ବି ମୁହଁ ଖୋଲୁନାହାନ୍ତି। ଆଉ ଏହାର ସୁଯୋଗ ନେଇ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ବେଧଡ଼କ ଭାବେ ଗଛ କାଟି ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ପ୍ରକଳ୍ପ ଲାଗି ପାଖାପାଖି ୪୦୦ ଗଛ ବଳି ପଡ଼ିବ। ସେଥିମଧ୍ୟରୁ ୭୫% ଗଛ କଟା ସରିଲାଣି। ଆଉ ଯାହା କିଛି ବଳିଛି ତାହାକୁ ଆସନ୍ତା ସପ୍ତାହକ ମଧ୍ୟରେ କାଟି ପଦା କରି ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସଚିବାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଏଭଳି ବୃକ୍ଷ କଟା ଯାଉଥିଲେ ମଧ୍ୟ ପ୍ରଶାସନ କାହିଁକି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ପରିବେଶବିତ୍‌ ସତ୍ୟବ୍ରତ ମିଶ୍ରଙ୍କ କହିବା କଥା ହେଉଛି ଯେ ଗଛ ନ କାଟି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇପାରିଥାନ୍ତା। ଗତ କିଛି ମାସ ମଧ୍ୟରେ ରାଜଧାନୀରୁ ପାଖାପାଖି ୬ ହଜାର ଗଛ କଟା ସରିଲାଣି। ମାତ୍ର ଏପର୍ଯ୍ୟନ୍ତ ଗୋଟିଏ ବି ବୃକ୍ଷରୋପଣ କରାଯାଇ ନାହିଁ। ୬ ହଜାର ଗଛରୁ ଯେଉଁ ଅମ୍ଳଜାନ ମିଳୁଥିଲା ତାହା ଏବେ କେଉଁଠୁ ଆସିବ ସେବିଷୟରେ ବି ସରକାରୀ ବାବୁମାନେ ଥରେ ଚିନ୍ତା କରିବା ଦରକାର। ବିକାଶ ନାଁରେ କେବଳ ବିନାଶ କରିବା ଆଦୌ ଗ୍ରହଣୀୟ ନୁହେଁ। ପ୍ରଶାସନ ବିକଳ୍ପ ବ୍ୟବସ୍ଥା କିଛି ଆପଣାଉ। କେହି ମୁହଁ ଖୋଲୁନାହାନ୍ତି ବୋଲି ଏଭଳି ବେଧଡ଼କ ଗଛ କଟା ଆଦୌ ଠିକ୍‌ ହେଉ ନାହିଁ। ସ୍କୁଲ, ହସ୍ପିଟାଲ ପରି ଅଞ୍ଚଳରୁ ଗଛ କାଟିବା ପରିବେଶ ଲାଗି ଅଧିକ ବିପଦ ସୃଷ୍ଟି କରିବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର