ଦାଦାବଟି ପାଇଁ ୩ ଜଣଙ୍କୁ ହାଣିଲେ
ଡିସିପିଙ୍କ ଅଫିସ ନିକଟରେ ଆତଙ୍କ, ହାଇୱା ଭାଙ୍ଗିଲେ, ଭୁଜାଲି ବୁଲାଇ ଜନପଥରେ ଗଲେ
ଭୁବନେଶ୍ବର : ଦାଦାବଟି ପାଇଁ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଜନପଥରେ ଓପିଟିସିଏଲର କାମ କରୁଥିବା ୩ଟା ହାଇୱାକୁ ମଧ୍ୟ ଭଙ୍ଗାରୁଜା କଲେ। ଫେରିଗଲା ବେଳେ ଭୁଜାଲି ଧରି ଜନପଥରେ ଆତଙ୍କ ଖେଳାଇଲେ। ଏ ଥିଲା ଗତକାଲି ସଂଧ୍ୟାବେଳେ ଡିସିପିଙ୍କ କାର୍ଯ୍ୟାଳୟ ପାର୍ଶ୍ବର ଘଟଣା। ଏ ନେଇ ଓପିଟିଏସିଏଲ୍ କର୍ତୃପକ୍ଷ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଦୁର୍ଗାମାଧବ ମହଲା ଓରଫ ପାଗୁ ଓ ସୁରେଶ କୁମାର ମହାନ୍ତି। ଦୁର୍ଗାମାଧବ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ କାଳିମେଘାରେ। ଏଠାରେ ସେ ବାଲିଅନ୍ତା ଥାନା ଅଧୀନ ମେଟ୍ରୋଲାଇଟ ସିଟିରେ ରହେ। ସୁରେଶ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ତିରୋଲି ଗ୍ରାମରେ। ଆଜି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଦୁର୍ଗା ଓ ଚେଣ୍ଟକୁ ପୁଲିସ ଖୋଜୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସହିଦନଗର ଥାନା ପୁଲିସ୍ର ସୂଚନା ମୁତାବକ, ଜନପଥରେ ଓପିଟିସିଏଲ ପକ୍ଷରୁ ସ୍ମାର୍ଟସିଟି ପ୍ରକଳ୍ପ କାମ ଚାଲୁ ରହିଛି। ଦୁର୍ଗାମାଧବ, ସୁରେଶ କିଛି ଦିନ ହେବ ଓପିଟିସିଏଲଠାରୁ ଠିକାରେ କାମ ନେଇଥିବା ଡିଡିଏମ ଇନଫ୍ରା କମ୍ପାନି କର୍ମଚାରୀଙ୍କୁ ଧମକଚମକ ଦେବା ସହିତ ଦାଦାବଟି ଦେବାକୁ କହୁଥିଲେ। କିନ୍ତୁ ସଂସ୍ଥା ଏଥିରେ ରାଜି ହୋଇନଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଦୁର୍ଗାମାଧବ, ସୁରେଶ ତାଙ୍କର ଆଉ ୩ଜଣ ସହଯୋଗୀ ମାରଣାସ୍ତ୍ର, ବିଅର ବୋତଲ, ବାଉଁଶ ଆଦି ଧରି ଡିସିପିଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ କାମ ଚାଲୁଥିବା ସ୍ଥାନରେ ପହଞ୍ଚିଥିଲେ। ସେମାନେ ସୁପରଭାଇଜର୍ ଉମାଶଙ୍କର କର, ମୁକୁଲ ପ୍ରସାଦ ଓ ଅଭିଳାଷ ବେହେରାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ହାଇୱାଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଆହତ ୩ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।
ଓପିଟିସିଏଲ ମ୍ୟାନେଜର ଶିବପ୍ରସାଦ ଶତପଥୀ ଏ ସଂପର୍କରେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଦୁର୍ଗାମାଧବ ନାଁରେ ସହିଦନଗର ଥାନାରେ ୫ଟି ମାମଲା ରହିଛି ବୋଲି ଇନ୍ସପେକ୍ଟର ବିରଞ୍ଚି ପତି ସୂଚନା ଦେଇଛନ୍ତି। ତେଣୁ ତା’ ବିରୋଧରେ ୧୧୦ ଦଫା ଲଗାଇବାକୁ ପୁଲିସ ଯୋଜନା କରୁଛି।