ଭୁବନେଶ୍ବର: ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ଭୂଦାନ ଜମିକୁ କିଛି ମାଫିଆ ଆଜି ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ଗଣ୍ଡଗୋଳ ଘଟିଛି। ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଜବରଦଖଲକୁ ବିରୋଧ କରୁଥିବା ଗୋଷ୍ଠୀର ୩ଜଣ ଆହତ ହୋଇଛନ୍ତି। ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ୩ଜଣଙ୍କୁ ହାଣି ଗୁରୁତର କରିଥିବା ଜଣାପଡ଼ିଛି। ଆହତ ୩ ଯୁବକ ଶ୍ୟାମପୁର ଗାଁର ମନୋରଞ୍ଜନ ବେହେରା ଓରଫ ବିଶୁ, ଦୀପ୍ତିରଞ୍ଜନ ବେହେରା ଓରଫ ବାପି ଓ ସଂଗ୍ରାମ ସାହୁ ବୋଲି ଜଣାପଡ଼ିଛି। ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ସଂଘବଦ୍ଧ ଆକ୍ରମଣରେ ସମ୍ପୃକ୍ତ ଜବରଦଖଲକାରୀ ମାଫିଆଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।
ଭରତପୁର ଥାନା ଅଞ୍ଚଳରେ ସରକାରୀ ଜମି ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ଗତ ୨ ମାସ ପୂର୍ବେ ମାଫିଆମାନେ ଗୁଳି ଓ ବୋମାମାଡ଼ କରିଥିଲେ ଏବଂ ସଂଘର୍ଷନଗର ଛକରେ ଘଟିଥିବା ଏହି ମାମଲାରେ ଚନ୍ଦକା ଥାନା ପୁଲିସ କିଛି ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା। ଏବେ କିଛି ମାଫିଆ ଶ୍ୟାମପୁର ଅଞ୍ଚଳରେ ଥିବା ଭୂଦାନ ଜମି ଉପରେ ନଜର ପକାଇଛନ୍ତି। ଆଜି ଭରତପୁର ଅଞ୍ଚଳର ୨୦ ଅଧିକ ଦୁର୍ବୃତ୍ତ ଉକ୍ତ ଜମିକୁ ଦଖଲ କରିବାକୁ ଯାଇଥିଲେ। ସେମାନେ ଖଣ୍ଡା, ଲୁହା ରଡ୍ ଭଳି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଜମି ଦଖଲ କରିବା ପାଇଁ ଜେସିବି ଲଗାଇ ବଣବୁଦା ସଫା କରୁଥିବା ବେଳେ ଶ୍ୟାମପୁରର କିଛି ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ମାଫିଆମାନେ ବିରୋଧ କରୁଥିବା ଲୋକଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ଚାଲିଯିବା ପାଇଁ କହିଥିଲେ। କିନ୍ତୁ ବିରୋଧକାରୀମାନେ ଜୋର୍ଦାର ପ୍ରତିବାଦ କରିବାରୁ ମାଫିଆମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସେମାନେ ମାରଣାସ୍ତ୍ର ଧରି ବିରୋଧକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମାଫିଆ ଗୋଷ୍ଠୀଙ୍କ ଖଣ୍ଡା ଚୋଟରେ ୩ଜଣ ଆହତ ହେବା ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ସେହିଭଳି ମାଫିଆମାନେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।