ବିଳମ୍ବିତ ରାତିରେ ସତ୍‌ସଙ୍ଗ ବିହାର ଛକ ନିକଟରେ ଅଘଟଣ : ଦୁର୍ଘଟଣାରେ ୩ ଗୁରୁତର

ଭୁବନେଶ୍ୱର : ବୁଧବାର(ବଡ଼ଦିନ) ବିଳମ୍ବିତ ରାତିରେ ସତ୍‌ସଙ୍ଗ ବିହାର ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ସେମାନଙ୍କ ପରିଚୟ ମିଳି ପାରିନାହିଁ। ଆହତ ଯୁବକମାନଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ‌ରେ ଭର୍ତ୍ତି କରାଇଛି। ତେବେ ପାରିପାର୍ଶ୍ବିକ ସ୍ଥିତିରୁ କୌଣସି ଏକ ଭାରୀଯାନ ସେମାନେ ଯାଉଥିବା ସ୍କୁଟିକୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବାଦର ଜଣେ କର୍ମଚାରୀ ରାତି ପ୍ରାୟ ୨ଟାରେ ଘରକୁ ଫେରୁଥିବା ବେଳେ ଯୁବକମାନଙ୍କୁ ସତ୍‌ସଙ୍ଗ ବିହାର ଛକ ନିକଟରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ କିଛି ଦୂରରେ ଏକ ସ୍କୁଟି (ଓଡି ୩୩ଟି ୪୬୯୭) ପଡ଼ିଥିଲା। ଏ ସଂପର୍କରେ ସେ ସ୍ଥାନୀୟ ସହିଦନଗର ଥାନା ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସହିଦନଗର ପିସିଆର୍‌ ପୁଲିସ୍‌ ଘଟଣାସ୍ଥଳ‌ରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର