ଜୁଆ ଆଡ଼ାରେ ଚଢ଼ଉ, ୩ ଜୁଆଡ଼ି ଗିରଫ
ଅଟୋରୁ ବ୍ୟାଟେରି ଚୋରି ଅଭିଯୋଗରେ ୩ ଗିରଫ, ନିଶା ବେପାରୀଙ୍କୁ ତଡ଼ିପାର୍, ବାପ-ପୁଅ ସମେତ ୩ ଗିରଫ
ପୁରୁଣା ଭୁବନେଶ୍ୱର : ଜୁଆ ଆଡ଼ାରେ ଚଢ଼ଉ କରି ଜିଆରପି ଥାନା ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମାଳିସାହି ମସ୍ଜିଦ କଲୋନିର ସରାଫତ ମାଲିକ(୬୦), ସାହାଜାଦ୍ ଖାଁ(୫୦) ଓ ଶେଖ୍ ରମ୍ଜାନ୍(୪୫)। ପୁଲିସ ସେମାନଙ୍କଠୁ ୧୮ଶହ ଟଙ୍କା ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଷ୍ଟେସନ୍ ଯିବା ରାସ୍ତା ଓ ଷ୍ଟେସନ୍ରୁ ଅଶୋକନଗର ଯିବା ରାସ୍ତାରେ ପ୍ରତିଦିନ ଅପରାହ୍ଣରେ ଜୁଆଡ଼ିଙ୍କ ଆଡ଼ା ଜମିଥାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଆସର ଜମିଥାଏ। ଷ୍ଟେସନରୁ ଫେରୁଥିବା ଯୁବକଙ୍କୁ ଏହି ଜୁଆଡ଼ିମାନେ ଲୋଭ ଦେଖାଇ ଠକେଇ କରିଥାନ୍ତି। ଏପରିକି ସେମାନଙ୍କୁ ପ୍ରଥମେ ଜିତାଇ ପରେ ହଜାର ହଜାର ଟଙ୍କା ଠକି ନେଇଥାନ୍ତି। ବହୁ ବ୍ୟକ୍ତି ଲୁଟ୍ର ଶିକାର ହେଉଥିବା ନେଇ ଜିଆରପି ପାଖରେ ଅଭିଯୋଗ ରହିଛି। ଆଜି ଅପରାହ୍ଣରେ ଜିଆର୍ପି ଅଚାନକ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଧରିଥିବା ବେଳେ ୪ଜଣ ଫେରାର୍ ହୋଇଯାଇଥିଲେ। ଏନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ କରିଛି।
ଅଟୋରୁ ବ୍ୟାଟେରି ଚୋରି ଅଭିଯୋଗରେ ୩ ଗିରଫ
ଭୁବନେଶ୍ୱର : ଅଟୋରୁ ବ୍ୟାଟେରି ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରି ବ୍ୟାଟେରି ଜବତ କରିଛି। ଅଭିଯୁକ୍ତମାନ ହେଲେ, ଶବରସାହିର ଗଙ୍ଗାଧର ପ୍ରଧାନ, ସୋନୁ ଖାନ ଓ ପୁରୁଣା ଷ୍ଟେସନ୍ ବଜାରର ସୂର୍ଯ୍ୟକାନ୍ତ ସ୍ବାଇଁ। ଶବର ସାହିର ଗଙ୍ଗାଧର ପ୍ରଧାନଙ୍କ ଅଟୋରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
ନିଶା ବେପାରୀଙ୍କୁ ତଡ଼ିପାର୍, ବାପ-ପୁଅ ସମେତ ୩ ଗିରଫ
ଭୁବନେଶ୍ୱର/ମେଣ୍ଢାଶାଳ : ନିଶା ବେପାରୀଙ୍କୁ ତଡ଼ିପାର୍ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଆଜି ଚନ୍ଦକା ଓ ସହିଦନଗର ଥାନା ଅଧୀନରେ ୩ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କୁଖ୍ୟାତ ବାପ-ପୁଅ ଯୋଡ଼ି ରହିଛନ୍ତି। ୩ ଜଣଙ୍କଠାରୁ ୨୨କେଜି ୪୦୫ ଗ୍ରାମ୍ ଗଞ୍ଜେଇ, ଗୋଟିଏ ବାଇକ୍ ଓ ୬ ହଜାର ୫୭୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାପ-ପୁଅ ଯୋଡ଼ି ହେଉଛନ୍ତି ଚନ୍ଦକା ଥାନା ଅଧୀନ ପଳାସପୁର ଗ୍ରାମର ଫକୀର ବେହେରା ଓ ପୁଅ ସିଲୁ ବେହେରା। ସେମାନଙ୍କଠାରୁ ୨୧ କେଜି ୨୦୫ ଗ୍ରାମ୍ ଗଞ୍ଜେଇ ଓ ଗୋଟିଏ ବାଇକ୍ ଜବତ ହୋଇଛି। ଦୀର୍ଘ ଦିନ ହେବ ଏମାନେ ଏହି ଅଞ୍ଚଳରେ ବେପାର କରିଆସୁଥିଲେ। ଏଠାରୁ ବିଭିନ୍ନ ଜାଗାକୁ ଗଞ୍ଜେଇ ଚାଲାଣ କରୁଥିଲେ। ଚଢ଼ଉ ବେଳେ ଏହି ଚୋରା ଗଞ୍ଜେଇକୁ ସେମାନେ ସିନ୍ଦୁକ ଭିତରେ ଲୁଚାଇ ଦେଇଥିଲେ। ଦୀର୍ଘ ଅଧଘଣ୍ଟା ଖୋଜାଖୋଜି ପରେ ପୁଲିସକୁ ଗଞ୍ଜେଇ ମିଳିଥିଲା। ସେହିଭଳି ସହିଦନଗର ଥାନା ପୁଲିସ ଛବିନାଥ ଭଟ୍ଟକୁ ଗିରଫ କରିଛି। ତା’ଠାରୁ ୧କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।