ଯୁବତୀଙ୍କ ଛାତିରୁ ବାହାରିଲା ୩ କେଜିର ଟ୍ୟୁମର୍‌

ସମ୍‌ରେ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର: ସମ୍‌ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ଜଣେ ଯୁବତୀଙ୍କ ଛାତିରୁ ୩ କେଜି ଓଜନର ଟ୍ୟୁମର ବାହାର କରାଯାଇଛି। ହସ୍ପିଟାଲର ସିଟିଭିଏସ ବିଭାଗ ମୁଖ୍ୟ ଦେବାଶିଷ ସାହୁଙ୍କ ନେତୃତ୍ବରେ ଗଠିତ ଟିମ୍‌ ଏହି ଅସ୍ତ୍ରୋପଚାର କରିଛନ୍ତି। ନିଶ୍ଚେତକ ବିଭାଗ ଡାକ୍ତର ସୁଶାନ୍ତ କୁମାର ଭୋଇ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବାରୁ ବିଶେଷ ଖର୍ଚ୍ଚ ହୋଇନଥିବା ଯୁବତୀଙ୍କ ପରିବାର ପକ୍ଷରୁ କୁହାଯାଇଛି।

ହସ୍ପିଟାଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ସାହୁ କହିଛନ୍ତି, ୨୩ ବର୍ଷୀୟା ସୋନାଲି ଛାତିରେ ଟ୍ୟୁମର ଥିବା ଯୋଗୁଁ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ଟ୍ୟୁମରଟି ତାଙ୍କ ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣ ପଟକୁ ଠେଲି ରଖିଥିଲା। ଏଥିଯୋଗୁଁ ବାମ ପାର୍ଶ୍ବର ଫୁସ୍‌ଫୁସ୍‌ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିଲା। ଶରୀରରେ ଅମ୍ଳଜାନ ସ୍ତର କମି ଯାଉଥିଲା। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଟ୍ୟୁମର ଚିହ୍ନଟ ହୋଇଥିବା ଯୋଗୁଁ ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟସୁରଥ ପଣ୍ଡାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ମାତ୍ର ଟ୍ୟୁମରଟି କ୍ୟାନ୍‌ସର ନଥିଲା। ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଏ। ଏଥିଯୋଗୁଁ ସୋନାଲିଙ୍କ ମୁହଁ ଏବଂ ହାତରେ ଅନେକଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା।

ଏହି ଅସ୍ତ୍ରୋପଚାର ଚ୍ୟାଲେଞ୍ଜିଂ ଥିଲା। ଏଥିରେ କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇଥିଲା। କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ। ଏକ ମାସ ଧରି ଆଇସିୟୁରେ ତାଙ୍କୁ ରଖାଯାଇଥିଲା। ଅସ୍ତ୍ରୋପଚାର ପରେ ଛାତିର କସ୍‌ମେଟିକ୍ ରିପେୟାର କରାଯାଇଥିବା ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସୋନାଲି ଏବଂ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର