୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି କମିସନରେଟ୍‌ ପୁଲିସ ଓ କ୍ୟୁଏଟି ୪୨ କେଜି ୭ଶହ ଗଞ୍ଜେଇ ଜବତ କରିବା ସହ ବେପାରରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରି ବରମୁଣ୍ଡା ଅଞ୍ଚଳରୁ ୧୨ କେଜି ୭ଶହ ଗ୍ରାମ୍‌ ଓଜନର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ପୁଲିସ କହିଛି। ସେମାନଙ୍କଠାରୁ ୩ଟି ମୋବାଇଲ ସହ ୧ ହଜାର ୫ଶହ ନଗଦ ଟଙ୍କା ଜବତ ହୋଇଛି। ଏହି କାରବାରରେ ଗିରଫ ତିନି ଅଭିଯୁକ୍ତ ହେଲେ, ବିହାର ମୋତିହାରିର ଢ଼ୋକାହା ବାଲା ତୋଟାର ରବୀନ ମହାତୋ ଓ ମୁକେଶ ଦାସ ଏବଂ ଗଞ୍ଜାମ ଧରାକୋଟ ବଡ଼ଗଡ଼ର ସନ୍ତୋଷ ସାହୁ। ସମସ୍ତଙ୍କୁ ଖଣ୍ଡଗିରି ଥାନା ପୁଲିସ୍‌ କୋର୍ଟ ଚାଲାଣ କରିଛି। ନିକଟ ଅତୀତରେ ଏହି ଅଞ୍ଚଳରୁ କ୍ୟୁଏଟି ମଧ୍ୟ ଗଞ୍ଜେଇ ଜବତ କରିଥିଲା। ସନ୍ତୋଷ ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରେ ରହି ଗଞ୍ଜେଇ ବେପାର କରୁଥିଲା। ବିହାରର ଦୁଇ ବେପାରୀ ସନ୍ତୋଷକୁ ଗଞ୍ଜେଇ ଦେବାକୁ ଆସିଥିଲେ।

ସେହିଭଳି ଆଜି ଅପରାହ୍‌ଣରେ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ଉ କରି ଝାରପଡ଼ା ମେଳଣ ପଡ଼ିଆ ନିକଟରୁ ୩୦କେଜି ଶହେ ଗ୍ରାମ୍‌ ଓଜନର ଗଞ୍ଜେଇ ଜବତ କରିଛନ୍ତି। ଏକ ମାରୁତି କାର୍‌ର ସିଟ୍‌ ଓ ଡିକି କାଟି ଗଞ୍ଜେଇ ପ୍ୟାକେଟ୍‌ କରି ରଖାଯାଇଥିଲା। ସେହି ମାରୁତି କାର୍‌ ଓ ଦୁଇଟି ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୨ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି। ଏହି କାରବାରରେ ସଂପୃକ୍ତ ଲକ୍ଷ୍ମୀସାଗର ଲେଙ୍କା ସାହିର ପ୍ରସନ୍ନ ରାଉତରାୟ ଓ ବାୟାବାବା ମଠସାହିରେ ରହୁଥିବା ଗଞ୍ଜାମ ଦିଗପହଣ୍ଡିର ଅଶୋକ ପାତ୍ରକୁ ପୁଲିସ୍‌ ଗିରଫ କରିଛି। ଅଶୋକ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ବରର ବିଭିନ୍ନ ଜାଗାରେ ବିକୁଥିଲା। ଆଜି ଝାରପଡ଼ା ଅଞ୍ଚଳରେ କାରବାର କରୁଥିବା ବେଳେ କ୍ୟୁଏଟି ହାତରେ ଧରା ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର