ଜାଲ୍ ସାର୍ଟିଫିକେଟ୍‌ ଦେଇ ୩ ଲକ୍ଷ ଠକେଇ, ଘରୋଇ କଲେଜ ନାଁରେ ଅଭିଯୋଗ

ଭୁବନେଶ୍ବର: ନର୍ସିଂ ପାଠ୍ୟକ୍ରମର ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଜଣେ ମହିଳାଙ୍କଠାରୁ ୩ ଲକ୍ଷ ୩୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ଟଙ୍କପାଣି ରୋଡ୍‌ରେ ଥିବା ଏକ ଯୁକ୍ତ ୨ ବିଜ୍ଞାନ କଲେଜର ନିର୍ଦ୍ଦେଶକଙ୍କ ନାମରେ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, କେବଳ ସେ ନୁହେଁ, ବହୁ ଯୁବତୀ ଏପରି ଠକେଇର ଶିକାର ହୋଇଛନ୍ତି। ଏହା ପଛରେ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଛି। ଉପଯୁକ୍ତ ତଦନ୍ତ କରାଗଲେ ସବୁ ପଦାକୁ ଆସିପାରିବ।

ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳର ଉକ୍ତ ମହିଳାଜଣଙ୍କ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମ ପାଇଁ ସମ୍ପୃକ୍ତ କଲେଜ ସହ ଯୋଗାଯୋଗ କରିଥିଲେ। ଏହି ପାଠ୍ୟକ୍ରମ ପାଇଁ ମୋଟ ୩ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ ହେବ ବୋଲି କଲେଜର ନିର୍ଦ୍ଦେଶକ ତାଙ୍କୁ କହିଥିଲେ। ପରେ ସେ ସେଠାରେ ଆଡ୍‌ମିସନ୍‌ କରାଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ସଂପୃକ୍ତ କଲେଜର ନିର୍ଦ୍ଦେଶକ ତାଙ୍କଠାରୁ ୩ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ। ଉକ୍ତ କଲେଜରେ ସମ୍ପୃକ୍ତ ମହିଳାଜଣଙ୍କ ପରୀକ୍ଷା ଦେଇ ପାସ୍‌ ମଧ୍ୟ କରିଥିଲେ। ଆଡମିସନ୍‌ ସମୟରେ ଏହାର ଷ୍ଟଡି ସେଣ୍ଟର ଦରଭଙ୍ଗାସ୍ଥିତ ଲଳିତ ନାରାୟଣ ବିଶ୍ବବିଦ୍ୟାଳୟ ବୋଲି ସମ୍ପୃକ୍ତ କଲେଜ ପକ୍ଷରୁ କୁହାଯାଇଥିଲା। ପରୀକ୍ଷାର କିଛି ଦିନ ପରେ ସମ୍ପୃକ୍ତ ମହିଳାଙ୍କୁ ସାର୍ଟିଫିକେଟ୍‌ ମିଳିଥିଲା। ସେ ଉକ୍ତ ସାର୍ଟିଫିକେଟ୍‌କୁ ଇଣ୍ଡିଆନ୍‌ ନର୍ସିଂ କାଉନସିଲ୍‌ରେ ଦାଖଲ କରି ନିଯୁକ୍ତି ଆବେଦନ କରିଥିଲେ। କିନ୍ତୁ ନିର୍ଦେଶାଳୟ ପକ୍ଷରୁ ଉକ୍ତ ସାର୍ଟିଫିକେଟ୍‌ ଜାଲ ବୋଲି କୁହାଯିବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇବା ପରେ ମହିଳା ଓ ତାଙ୍କ ସ୍ବାମୀ ସମ୍ପୃକ୍ତ କଲେଜ ନିର୍ଦେଶକଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ସେ ଆଉ ଧରାଛୁଆଁ ଦେଇ ନଥିଲେ। କଲେଜରେ ଫୋନ୍ ମଧ୍ୟ କେହି ରିସିଭ୍ କରି ନଥିଲେ। ତେଣୁ ସବୁଆଡ଼ୁ ନିରାଶ ହେବା ପରେ ମହିଳାଜଣଙ୍କ ଏବେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଏହି ଘଟଣା ପୁରୁଣା ଏବଂ ଏ ସଂକ୍ରାନ୍ତୀୟ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର