ଭୁବନେଶ୍ବର: ରେଲ୍ୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଜଣେ ଠକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଅଞ୍ଚଳର କାହ୍ନୁ ଚରଣ ସ୍ବାଇଁ (୪୩)। ବଡ଼ କଥା ହେଉଛି ଅଭିଯୁକ୍ତ କାହ୍ନୁ ଜଣେ ବରଖାସ୍ତ ପୁଲିସ କର୍ମଚାରୀ। ପୁଲିସ ତା’ଠାରୁ ଜାଲ୍ ନିଯୁକ୍ତି ପତ୍ର ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ପୁଲିସ ସୂଚନାନୁସାରେ କାହ୍ନୁ ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ (ଓଏସ୍ଏପି) କର୍ମଚାରୀ ଭାବେ ୨୦୧୮ ମସିହାରେ କୋରାପୁଟରେ କାର୍ଯ୍ୟରତ ଥିଲେ। ଚାକିରିରେ ଅନିୟମିତତା ଯୋଗୁ ତାଙ୍କୁ ବରଖାସ୍ତ କରାଯାଇଥିଲା। ଚାକିରିରୁ ତଡ଼ା ଖାଇବା ପରେ କାହ୍ନୁ ଠକେଇ ରାସ୍ତା ଧରିଥିଲା। ସରକାରୀ ଚାକିରି କରାଇ ଦେବ କହି ଆଶାୟୀ ଯୁବକମାନଙ୍କୁ ଟାର୍ଗେଟ୍ କରୁଥିଲା। ନିଜର ଜାଲ୍ ପରିଚୟପତ୍ର ଓ ବିଭିନ୍ନ ସରକାରୀ ଚାକିରିର ନିଯୁକ୍ତି ପତ୍ର ଦେଖାଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଉଥିଲା। ଗଞ୍ଜାମ ଖଲିକୋଟ ଅଞ୍ଚଳର ସାଗର ପ୍ରଧାନଙ୍କୁ ରେଲ୍ୱେରେ ଚାକିରି କରାଇ ଦେବାକୁ କହି କାହ୍ନୁ ୫ଲକ୍ଷ ଟଙ୍କା ଦାବି କରିଥିଲା। ପ୍ରଥମେ ୩ ଲକ୍ଷ ଓ ଚାକିରି ପରେ ବାକି ୨ଲକ୍ଷ ଟଙ୍କା ନେବ ବୋଲି ଡିଲ୍ କରିଥିଲା। ସାଗରଙ୍କ ଭାଇ ଜୟ ପ୍ରଧାନ ନଗଦ ଓ ଫୋନ୍ ପେ’ ମାଧ୍ୟମରେ କାହ୍ନୁକୁ ୩ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ଦେବାର ମାସ ମାସ ବିତିଯାଇଥିଲେ ବି ସାଗରକୁ ନା କୌଣସି ନିଯୁକ୍ତି ପତ୍ର ମିଳିଥିଲା ନା ରେଲ୍ୱେରୁ କୌଣସି ଫୋନ୍ କଲ୍ ଆସିଥିଲା। ଏନେଇ ଜୟ ପଚାରିବାରୁ ନିଯୁକ୍ତି ପତ୍ର ତା’ ପାଖରେ ଅଛି ବୋଲି କାହ୍ନୁ କହିଥିଲା। ମେଡିକାଲ ପରୀକ୍ଷା ପରେ ସାଗରକୁ ନିଯୁକ୍ତି ପତ୍ର ମିଳିବ ଏବଂ ୨ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହିଥିଲା। ମାତ୍ର ସାଗର ଓ ତାଙ୍କ ଭାଇ ଜୟଙ୍କ ମନରେ ସନ୍ଦେହ ହୋଇଥିଲା।
ଏନେଇ ସେମାନେ ଆର୍ପିଏଫ୍ କ୍ରାଇମ୍ବ୍ରାଞ୍ଚ ସହ ଯୋଗଯୋଗ କରିଥିଲେ। ଧାର୍ଯ୍ୟ ସମୟ ଅନୁସାରେ ଗତକାଲି ଅର୍ଥାତ୍ ୧୨ତାରିଖ ଦିନ କାହ୍ନୁ ମେଡିକାଲ୍ ପରୀକ୍ଷା ପାଇଁ ସାଗରଙ୍କୁ ମଞ୍ଚେଶ୍ବରସ୍ଥିତ ରେଲ୍ୱେ ମେଡିକାଲ୍କୁ ଡକାଇଥିଲା। ପୂର୍ବରୁ ଛକି ରହିଥିବା ଆର୍ପିଏଫ୍ କ୍ରାଇମ୍ବ୍ରାଞ୍ଚ ଟିମ୍ ତାକୁ ସେଠାରେ କାବୁ କରିଥିଲା। ତା’ଠାରୁ ଜାଲ୍ ଡକ୍ୟୁମେଣ୍ଟ ଜବତ କରିବା ପରେ ମଞ୍ଚେଶ୍ବର ଥାନା ପୁଲିସ ଜିମା ଦିଆଯାଇଥିଲା। ଧୂର୍ତ୍ତ କାହ୍ନୁ ସହ କିଛି ରେଳବାଇ ଅଧିକାରୀଙ୍କ ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରିଛି। ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଛି ଏବଂ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା ରହିଛି ବୋଲି ସୂଚନା ମିଳିଛି।